୨୦୧୪ ରୁ ଏ ଯାଏଁ ୨୨ କୋଟି ଚାକିରି ପାଇଁ ଆବେଦନ କରିଛନ୍ତି, ମାତ୍ର ୭ ଲକ୍ଷ ଙ୍କୁ ମିଳିଛି ନିଯୁକ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୧୪ ରୁ ଏ ଯାଏଁ ଦେଶରେ ୨୨ କୋଟି ଯୁବକ ଯୁବତୀ ବିଭିନ୍ନ ପଦରେ ଚାକିରି ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ କେନ୍ଦ୍ର ସରକାର ୭ ଲକ୍ଷ ୨୨ ହଜାର ୩୧୧ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ଏଥି ମଧ୍ୟରୁ ୨୦୧୯-୨୦ ଲୋକସଭା ନିର୍ବାଚନ ବର୍ଷରେ ସର୍ବାଧିକ ୧,୪୭,୦୯୬ ଜଣଙ୍କୁ ନିଯୁକ୍ତି ମିଳିଛି । ସଂସଦରେ କର୍ମଚାରୀ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ ଲିଖିତ ଉତ୍ତର ଦେଇ ଗୃଗକୁ ଏହି ତଥ୍ୟ ପ୍ରଦାନ କରିଛନ୍ତି।

ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତର ମୁତାବକ ୨୦୧୪-୧୫ ରେ ୧,୩୦,୪୨୩ ଜଣଙ୍କୁ ଚାକିରି ମିଳିଥିବା ବେଳେ ୨୦୧୫-୧୬ ରେ ୧,୧୧,୮୦୭ ଜଣଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ୨୦୧୬-୧୭ ରେ ୧,୦୧,୩୩୩ ଜଣଙ୍କୁ ନିଯୁକ୍ତି ମିଳିଛି । ୨୦୧୭-୧୮ ରେ ୭୬,୧୪୭ ଜଣ, ୨୦୧୮-୧୯ ରେ ୩୮,୧୦୦ ଜଣ, ୨୦୧୯-୨୦ ରେ ସର୍ବାଧିକ ୧,୪୭,୦୯୬ ଜଣ, ୨୦୨୦-୨୧ ରେ ୭୮,୫୫୫ ଜଣ ଓ ୨୦୨୧-୨୨ ରେ ୩୮,୮୫୦ ଜଣଙ୍କୁ ନିଯୁକ୍ତି ମିଳିଛି ।

ତେବେ ସୂଚନା ମୁତାବକ ତେଲେଙ୍ଗାନାର କଂଗ୍ରେସ ସାଂସଦ ଅନୁମୁଲା ରେଭାନଥ ରେଡ୍ଡୀଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଗୃହରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ତେବେ ୨୨ କୋଟିରୁ ଉର୍ଦ୍ଧ୍ବ ଆବେଦନରେ ମାତ୍ର ୭ଲକ୍ଷ୍ୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ତଥ୍ୟ ଆସିବା ପରେ ସରକାର ଙ୍କୁ ଘେରିଛି କଂଗ୍ରେସ । ସରକାରଙ୍କର ବର୍ଷକୁ ୨କୋଟି ନିଯୁକ୍ତି ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ।

Related Posts