
ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ୮ଦିନରେ ପହଁଚିଛି । ଘମାଘୋଟ ଲଢେଇ ମଧ୍ୟରେ ଆଜି ଦୁଇ ଦେଶ ମଧ୍ୟରେ ବସିଛି ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ବୈଠକ । ପ୍ରଥମ ପର୍ଯ୍ୟାୟ ଆଲୋଚନା ବୈଠକ ବିଫଳ ହୋଇଥିବା ବେଳେ, ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନାରେ କିଛି ନିଷ୍କର୍ଷ ବାହାରିବା ନେଇ ଆଶା ଉଜୀବିତ ହୋଇଛି । ବେଲାରୁଷ ସୀମାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ବସିଛି ଏହି ବୈଠକ । ବୈଠକରେ ଋଷ ଏବଂ ୟୁକ୍ରେନ୍ ପ୍ରତିନିଧିମଣ୍ଡଳ ଉପସ୍ଥିତ ଅଛନ୍ତି ।
ଋଷ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ‘ବେଲାରୁଷରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି । ଆମେ ଆଶା କରୁଛୁ ୟୁକ୍ରେନ୍ ଏହି ପ୍ରସଙ୍ଗରେ ସକାରାତ୍ମକ ଭାବେ ଆଲୋଚନା କରିବ ଏବଂ ଯୁଦ୍ଧ ସମାପ୍ତ କରିବ । ତା ସହିତ ୟୁକ୍ରେନ୍ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଜୀବନ ବିତାଇବାକୁ ସକ୍ଷମ ହେବେ ।’
ଅନ୍ୟପଟେ ୟୁକ୍ରେନ୍ ଅଧିକାରୀ କହିଛନ୍ତି, ଯୁଦ୍ଧ ଶେଷ କରିବାକୁ ଋଷ ସହିତ ଆଲୋଚନା ହେଉଛି । ଆଶା କରାଯାଉଛି ଆଲୋଚନା ସଫଳ ହେବ । ଋଷ ତୁରନ୍ତ ଯୁଦ୍ଧ ବିରତି କରୁ ବୋଲି ୟୁକ୍ରେନ୍ ପ୍ରତିନିଧି ମଣ୍ଡଳ ଦାବି କରିଛନ୍ତି । ପୂର୍ବରୁ ଫେବୃଆରୀ ୨୮ ତାରିଖରେ ପ୍ରଥମେ ବୈଠକ ହୋଇଥିବା । ତେବେ କୌଣସି ନିଷ୍କର୍ସ ନବାହାରିବାରୁ ଯୁଦ୍ଧ ଜାରିରଖିଥିଲା ଋଷ । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍ର ଅନେକ ସହରରେ କବ୍ଜା କରିସାରିଛି। ଏବେ ମଧ୍ୟ ମିସାଇଲ ଏବଂ ଗୁଳିମାଡ ଜାରି ରହିଛି । ୟୁକ୍ରେନ୍ରେ ବର୍ତ୍ତମାନ ସୁଦ୍ଧା ୨୨୭ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୯ହଜାର ଋଷ ସୈନ୍ୟଙ୍କୁ ମାରିଥିବା ଦାବି କରୁଛି ୟୁକ୍ରେନ୍ । ଅନ୍ୟପଟେ ଋଷ ୟୁକ୍ରେନ ଉପରେ ଆକ୍ରମଣ କୁ ନେଇ ଅନେକ ଦେଶ ଋଷ କୁ ବିରୋଧ କରିଛନ୍ତି ।