ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରସ୍ପର ପାଇଁ ଭାରି ପଡିଛି | ଉଭୟଙ୍କ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି | ଗୁରୁବାର ସକାଳୁ ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ରାତି ତମାମ ଜାରି ରହିଥିଲା | ୟୁକ୍ରେନର ରାଜଧାନୀ କିଭ୍କୁ ଦଖଲ କରିବା ପାଇଁ ରୁଷ ସେନା ଆଗଭର ହେଉଛନ୍ତି। ୟୁକ୍ରେନ ମଧ୍ୟ ଏହାର କଡ଼ା ମୁକାବିଲା କରିବାକୁ ପଣ କରିଛି। ଏସବୁ ଭିତରେ କିଭ୍ ଆକାଶରେ ଉଡ଼ୁଥିବା ରୁଷର ଦୁଇଟି ଯୁଦ୍ଧ ବିମାନକୁ ଗୁଳି କରି ୟୁକ୍ରେନ ଖସାଇ ଦେଇଥିବା ଦାବି କରିଛି।
ଏ ସମ୍ପର୍କରେ ଗୋଟିଏ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଗୁଳିମାଡ଼ ପରେ ନଷ୍ଟ ହୋଇଯାଇଥିବା କୌଣସି ବିମାନ କିମ୍ବା ହେଲିକପ୍ଟର ନିଆଁ ପିଣ୍ଡୁଳା ଆକାରରେ ଆକାଶରୁ ଖସୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳର ଲୋକମାନେ ଏହାର ଶୁଟିଂ ମୋବାଇଲରେ କରିଛନ୍ତି।
ଅନ୍ୟପକ୍ଷରେ ଯୁଦ୍ଧଖୋର ରୁଷ ଏଯାଏ କ’ଣ ସବୁ ହରାଇଛି, ତା’ର ହିସାବ ୟୁକ୍ରେନ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲୟାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଫେବୃଆରୀ ୨୫ ତାରିଖ ଭୋର ୩ଟା ସୁଦ୍ଧା ଶତ୍ରୁପକ୍ଷର ବ୍ୟାପକ କ୍ଷୟକ୍ଷତି ହୋଇଛି। ୟୁକ୍ରେନ ସେନା ୭ଟି ରୁଷିଆନ ଯୁଦ୍ଧ ବିମାନ ସମେତ ୩୦ରୁ ଅଧିକ ଟ୍ୟାଙ୍କରକୁ ଧ୍ୱଂସ କରି ଦେଇଛନ୍ତି। ସେହିପରି ୬ଟି ହେଲିକପ୍ଟର ଓ ୧୩୦ ୟୁନିଟ ବିବିଏମ ମଧ୍ୟ ରୁଷ ହରାଇଛି।
ଆକ୍ରମଣରେ ଶତ୍ରୁପକ୍ଷ ପ୍ରାୟ ୮୦୦ ସୈନ୍ୟଙ୍କୁ ହରାଇଛି। ୟୁକ୍ରେନ ନିକଟରେ କିଛି ରୁଷ ସୈନ୍ୟ ଆତ୍ମସମର୍ପଣ କରିଥିବା ବେଳେ ପ୍ରାୟ ୯୦ ଜଣଙ୍କୁ ଗିରଫ କରାଯାଇଛି।
ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ରୁଷ ସହ ଚାଲିଥିବା ଯୁଦ୍ଧର ପ୍ରଥମ ଦିନରେ କିଭ୍ ୧୩୭ ଜଣଙ୍କୁ ହରାଇଛି। ଏମାନଙ୍କ ମଧ୍ୟରେ ସାଧାରଣ ନାଗରିକ ଓ ସୈନ୍ୟ ରହିଛନ୍ତି। ସେହିପରି ୩୧୬ ଜଣ ଆହତ ମଧ୍ୟ ହୋଇଥିବା ସେ ସୂଚନା ଦେଇଥିଲେ।





