23 ଦିନରେ ଋଷ ଓ ୟୁକ୍ରେନ ଯୁଦ୍ଧ: ଏଯାବତ୍ ୩୨.୫୦ ଲକ୍ଷ ଲୋକ ଛାଡ଼ିସାରିଲେଣି ଦେଶ : ମିଳିତ ଜାତିସଂଘ

23 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଋଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଥିବା ବେଳେ, ଯୁଦ୍ଧ ର ଭୟାବହତା ନେଇ ଆତଙ୍କିତ ୟୁକ୍ରେନ ବାସୀ। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠୁ ଏ ପର୍ଯ୍ୟନ୍ତ ଏଠାରୁ ୩୨.୫୦ ଲକ୍ଷ ଲୋକେ ଦେଶ ଛାଡି ସାରିଛନ୍ତି। ଏଥିରୁ ୨୦ ଲକ୍ଷ ଲୋକେ ପୋଲାଣ୍ଡ ସୀମା ଅତିକ୍ରମ କରି ସାରିଛନ୍ତି। ଶୁକ୍ରବାର ମିଳିତ ଜାତିସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ୟୁଏନର ଶରଣାର୍ଥୀ ଏଜେନ୍ସି ୟୁଏନଏଚଆରସି ଅନୁଯାୟୀ, ଫେବୃଆରୀ ୨୪ରୁ ଯୁଦ୍ଧ ଆରମ୍ଭ ହେବା ପରଠୁ ଏ ପର୍ଯ୍ୟନ୍ତ ୩୨ ଲକ୍ଷ ୭୦ ହଜାର ୬୬୨ ଲୋକ ପଳାୟନ କରି ସାରିଛନ୍ତି। ୟୁଏନଏଚଆରସିର ମୁଖପାତ୍ର ମାଥ୍ୟୁ ସଲ୍ଟମାର୍ଶଙ୍କ ଅନୁଯାୟୀ, ଯୁଦ୍ଧର ଆରମ୍ଭ ଦିନ ତୂଳନାରେ ବର୍ତ୍ତମାନ ପଳାୟନ ସଂଖ୍ୟାରେ କିଛିଟା ହ୍ରାସ ଘଟିଛି। ପଳାୟନକାରୀଙ୍କ ସଂଖ୍ୟା ୩୦ ଲକ୍ଷରୁ ଅଧିକ ରହିଛି। ତେବେ ଯୁଦ୍ଧ ବଢିବା ଏବଂ ସ୍ଥିତି ଅଧିକ ଖରାପ ହେବା ପରେ ପଳାୟନକାରୀଙ୍କ ସଂଖ୍ୟା ଆହୁରି ବଢିପାରେ। ସଲ୍ଟମାର୍ଶ କହିଛନ୍ତି, ଦେଶ ଛାଡି ଯାଇଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ହେଉଛନ୍ତି ମହିଳା ଏବଂ ଶିଶୁ।

ଉଲ୍ଲେଖଯୋଗ୍ୟ, ୟୁକ୍ରେନରେ ୧୮ ରୁ ୬୦ ବର୍ଷ ପର୍ଯ୍ୟନ୍ତ ଆୟୁ ବର୍ଗର ପୁରୁଷଙ୍କୁ ମିଲିଟାରୀ ସେବାରେ ସାମିଲ କରାଯାଇପାରେ। ତେଣୁ ଏହି ସବୁ ଲୋକେ ଦେଶ ଛାଡି ଯାଇ ପାରିବେ ନାହିଁ।

Related Posts