ପୂର୍ବ-ୟୁକ୍ରେନୀୟ ସହର ଡୋନବାଜର ଏକ ସ୍କୁଲ ଉପରେ ଋଷ ଫୋର୍ସଙ୍କ ବୋମାମାଡ: 60ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ

କିଭ: ଏବେ ବି ଋଷ ର ବୋମା ମାଡ଼ରେ ଥରୁଛି ୟୁକ୍ରେନ । ଜାରୀ ରହିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ଯୁଦ୍ଧ ଥମିବାରନାଁ ଧରୁନଥିବା ବେଳେ, ଋଷ ପୂର୍ବ-ୟୁକ୍ରେନୀୟ ସହର ଡୋନବାଜରେ ଏକ ସ୍କୁଲ ଉପରେ ଆକ୍ରମଣ କରିଛି । ଏହି ସ୍କୁଲ୍ କୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇଥିବାବେଳେ ଏହା ଉପରେ ଋଷ ଫୋର୍ସ ବୋମାମାଡ କରିଥିବା ଅଭିଯୋଗ ହୋଇଛି । ଏହି ଆଶ୍ରୟସ୍ଥଳୀରେ ପ୍ରାୟ 90ଜଣ ସାଧାରଣ ନାଗରିକ ଆଶ୍ରୟ ନେଇଥିବାବେଳେ 60ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା 2ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହେବା ସହ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ସେହିପରି ଅନ୍ୟ 30ଜଣଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି । କିନ୍ତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଡୋନବାଜ ଲୁହାନସ୍କ ପ୍ରଦେଶର ରାଜ୍ୟପାଳ ।

ଆକ୍ରମଣରେ ସ୍କୁଲ ଅଟ୍ଟାଳିକାଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏବେ ମଧ୍ୟ ଧ୍ବଂସାବଶେଷ ତଳେ ଅନେକ ମୃତଦେହ ରହିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏହି ମୃତାହତଙ୍କ ସଂଖ୍ୟା ପ୍ରାୟ 60 ହେବା ନେଇ ମଧ୍ୟ ପ୍ରାଥମିକ ଭାବେ ଆକଳନ କରାଯାଉଛି । ମସ୍କୋ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ 2014 ମସିହାରୁ ପୂର୍ବ-ୟୁକ୍ରେନୀୟ ରାଜ୍ୟ ଡୋନବାଜକୁ ସ୍ବତନ୍ତ୍ର ଦେଶ ଭାବେ ମାନ୍ୟତା ଦେବା ପାଇଁ ବିଦ୍ରୋହ କରି ଆସୁଛନ୍ତି । ଋଷ ମଧ୍ୟ ଏବେ ଉକ୍ତ ଅଞ୍ଚଳ ଦଖଲ କରିସାରିଥିବା ଦାବି କରିବା ସହ ଆକ୍ରମଣକୁ ତୀବ୍ର କରିଛି ।

ଅନ୍ୟପଟେ ଆସନ୍ତାକାଲି ଯୁଦ୍ଧ ସମ୍ପର୍କିତ କିଛି ବଡ ଘୋଷଣା କରିପାରେ ଋଷ । 9 ତାରିଖରେ ଋଷ ଯୁଦ୍ଧ ବନ୍ଦ ଘୋଷଣା କରିପାରେ ବୋଲି ମଧ୍ୟ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହେବା ପରେ ଆସନ୍ତାକାଲି ଉପରେ ସମସ୍ତଙ୍କ ନଜର ରହିଛି । ଗତ 2ମାସରୁ ଅଧିକ ଦିନ ଧରି ଲାଗି ରହିଥିବା ଏହି ଯୁଦ୍ଧରେ ବ୍ୟାପକ କ୍ଷତି ସହିଛି ୟୁକ୍ରେନ । ଋଷ ମଧ୍ୟ ବିପୁଳ ସାମରିକ କ୍ଷତି ସହିଥିବା ଅନୁମାନ କରାଯାଉଥିବାବେଳେ ଋଷ କିନ୍ତୁ ଏପରି ଦାବିକୁ ଖଣ୍ଡନ କରିଆସିଛି । ଏକାଧିକ ଥର ଉଭୟ ଦେଶ ଆଲୋଚନା ଟେବୁଲରେ ଏକାଠି ହେବା ପରେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ । ତାହାରି ମଧ୍ୟରେ ଆସନ୍ତାକାଲି ଋଷର ନିଷ୍ପତ୍ତିକୁ ନେଇ ସମଗ୍ର ବିଶ୍ବର ନଜର ରହିଛି ।

Related Posts