ବିଜେପି ପରେ ସମାଜବାଦୀ ପାର୍ଟିର ମନିଫେଷ୍ଟୋ; ଛାତ୍ରଙ୍କୁ ଫ୍ରି ଲ୍ୟାପଟପ ଓ ଜନତାଙ୍କୁ ମିଳିବ ମାଗଣା ବିଦ୍ୟୁତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ନିଜ ନିଜର ମନିଫେଷ୍ଟୋ ଘୋଷଣା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ସମାଜବାଦୀ ପାର୍ଟି ନିଜର ମନିଫେଷ୍ଟୋ ଘୋଷଣା କରିଛି । ତେବେ ଏଥିରେ ଯୁବ ବର୍ଗ, କୃଷକ, ମହିଳାଙ୍କ ପାଇଁ ଅନେକ ବଡ ବଡ ଘୋଷଣା କରାଯାଇଛି। ଉତ୍ତର ପ୍ରଦେଶରେ ସପା କ୍ଷମତାକୁ ଆସିଲେ ଜନତାଙ୍କୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଦିଆଯିବ ବୋଲି ଘୋଷଣା କରିଛନ୍ତି ଅଖିଳେଶ ଯାଦବ। ପ୍ରତ୍ୟେକ ବିପିଏଲ ପରିବାରଙ୍କୁ ବର୍ଷକୁ ଦୁଇଟି ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବ ବୋଲି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛନ୍ତି ଅଖିଳେଶ ଯାଦବ। ସେ କହିଛନ୍ତି, ସମସ୍ତ କୃଷିଜାତ ଦ୍ରବ୍ୟର କ୍ରୟ ଏମଏସପି ଆଧାରରେ କରାଯିବ। ବିଜେପି ପରି ସପା ମଧ୍ୟ ୧୫ ଦିନ ଭିତରେ ଆଖୁ ଚାଷୀଙ୍କୁ ସେମାନଙ୍କ ପାଉଣା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହା ବ୍ୟତୀତ ଜଳସେଚନ ପାଇଁ ଚାଷୀଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ। ସୀମାନ୍ତ ଚାଷୀଙ୍କୁ ୨ ବସ୍ତା ଡିଏପି ସାର ଏବଂ ୬ ବସ୍ତା ୟୁରିଆ ସାର ମାଗଣାରେ ମିଳିବ।

୨୦୨୫ ସୁଦ୍ଧା କୃଷକଙ୍କୁ ଋଣ ମୁକ୍ତ କରାଯିବାକୁ ସପାର ନିର୍ବାଚନୀ ଇସ୍ତାହାରରେ ଲକ୍ଷ୍ୟ ରଖାଯାଇଛି। ପେନସନ ଆଧାରରେ ମହିଳା, ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କୁ ବାର୍ଷିକ ୧୮ ହଜାର ଟଙ୍କା ପେନସନ ଦିଆଯିବ। ଅଖିଳେଶ ଯାଦବ ଏହା ମଧ୍ୟ କହିଛନ୍ତି, ତାଙ୍କ ଦଳ ସରକାରକୁ ଆସିଲେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳକୁ ସିସିଟିଭି ଏବଂ ଡ୍ରୋନ ନିରୀକ୍ଷଣ ଦ୍ଵାରା ସୁରକ୍ଷା ସୁନିଶ୍ଚିତ କରାଯିବ। ଦ୍ଵାଦଶ ପାସ୍ ସମସ୍ତ ଛାତ୍ର-ଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍ ଦେବାକୁ ଘୋଷଣା କରାଯାଇଛି। ଏହା ବ୍ୟତୀତ ଗାଁ ଏବଂ ସହରରେ ଓ୍ଵାଇ-ଫାଇ ସୁବିଧା ଉପଲବ୍ଧ କରାଯିବ। ବାଳିକାଙ୍କୁ କେଜିରୁ ପିଜି ପର୍ୟ୍ୟନ୍ତ ମାଗଣା ଶିକ୍ଷା ଯୋଗାଇ ଦିଆଯିବ। ବିଦ୍ୟାଳୟଗୁଡିକରେ ଇଂରାଜୀ ଶିକ୍ଷା ଉପରେ ଜୋର ଦିଆଯିବ। ୟୁପିକୁ ୨୦୨୭ ପର୍ୟ୍ୟନ୍ତ ଶତ ପ୍ରତିଶତ ସ୍ଵାକ୍ଷର କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ମଣ୍ଡଳରେ ଏକ ସୈନିକ ସ୍କୁଲ ନିର୍ମାଣ କରିବାକୁ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି ସମାଜବାଦୀ ପାର୍ଟି। ସପା ସରକାର ଗଠନ ହେଲେ ରାଜ୍ୟରେ ମାତ୍ର ୧୦ ଟଙ୍କାରରେ ସମାଜବାଦୀ କ୍ୟାଣ୍ଟିନ ଆରମ୍ଭ କରାଯିବ ବୋଲି ଅଖିଳେଶ ଯାଦବ କହିଛନ୍ତି ।

Related Posts