ଥାନାରେ ହାଜର ହେଲେନି ପାତ୍ର, କହିଲେ କରୋନା ରିଲିଫ କାର୍ଯ୍ୟରେ ବ୍ୟସ୍ତ ଅଛି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୁଲକିଟ୍ ମାମଲାରେ ବଢୁଛି ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଡୁଆ। ଛତିଶଗଡ ପୁଲିସ ସମ୍ବିତ ପାତ୍ରଙ୍କୁ ଗତ କାଲି ଅପରାହ୍ନ ୪ଟାରେ ହାଜର ହେବାକୁ ସମନ୍ କରିଥିଲେ । କିନ୍ତୁ ସେ ରିଲିଫ କାର୍ଯ୍ୟରେ ବ୍ୟସ୍ତ ଥିବା ବାହାନା ଦେଖାଇ ପୁଲିସ ପାଖରେ ହାଜର ହୋଇନଥିଲେ । ଟୁଲିକିଟ୍ ମାମଲାରେ ପଚରା ଉଚରା କରିବା ପାଇଁ ଗତକାଲି ଛତିଶଗଡ ପୁଲିସ ସମ୍ବିତ ପାତ୍ରଙ୍କୁ ସମନ୍ କରିଥିଲା। କିନ୍ତୁ ସେ ପୁଲିସ ପାଖରେ ହାଜର ନହୋଇ ସାତ ଦିନର ସମୟ ମାଗିଛନ୍ତି। ରବିବାର ଦିନ ତାଙ୍କ ଓକିଲ ସମ୍ବିତ୍ ଙ୍କ ତରଫରୁ ପକ୍ଷ ରଖି କହିଛନ୍ତି ଯେ ସେ ଭିଡିଓ କନଫରେନ୍ସ ମାଧ୍ୟମରେ ମଧ୍ୟ ରାୟପୁର ପୋଲିସ ପାଖରେ ହାଜର ହୋଇ ପାରିବେ ନାହିଁ । ଆଡଭୋକେଟ ଅପୂର୍ବ କୁରୁପ ରାୟପୁର ପୋଲିସକୁ ଜଣାଇଛନ୍ତି ଯେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ରବିବାର ସକାଳେ ପୁଲିସ ସମନ ଗ୍ରହଣ କରିଛନ୍ତି। କିନ୍ତୁ ସେ କରୋନା ରିଲିଫ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ପୁଲିସ ପାଖରେ ହାଜର ହୋଇ ପାରିବେ ନାହିଁ ବୋଲି କହିଛନ୍ତି। ସେ ଯୁକ୍ତି ବାଢିଛନ୍ତି ଯେ ଏତେ କମ୍ ସମୟ ମଧ୍ୟରେ ଉପସ୍ଥିତ ରହିବା ସମ୍ଭବ ନୁହେଁ। ଆଡଭୋକେଟ କହିଛନ୍ତି ଯେ, ଯେହେତୁ ସମ୍ବିତ୍ ଜଣେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର, ସେ ସମ୍ଭାବ୍ୟ ବାତ୍ୟା ‘ୟାସ୍’ ସମେତ କରୋନା ରିଲିଫ୍ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ପୁଲିସ ନିକଟରେ ହାଜର ହେବାକୁ ସେ ଅତି କମ୍ ରେ ଏକ ସପ୍ତାହ ସମୟ ମାଗିଛନ୍ତି।

ତେବେ ସୋମବାର ଦିନ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରମଣ ସିଂହଙ୍କୁ ପୁଲିସ ଟୁଲକିଟ୍ ମାମଲାରେ ପଚରାଉଚରା କରିବ ବୋଲି ଜଣାପଡ଼ିଛି। କଂଗ୍ରେସର ଏନଏସୟୁଆଇ ଛାତ୍ର ସଂଗଠନ ରାୟପୁରରେ ଟୁଲକିଟ୍ ମାମଲାରେ ବିଜେପି ନେତା ରମଣ ସିଂହ , ସମ୍ବିତ୍ ପାତ୍ରଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଯେଉଁଥିରେ ଏଆଇସିସିର ନକଲି ଲେଟର ପ୍ୟାଡ ବ୍ୟବହାର କରି ଜାଲ୍ ଟୁଲକିଟ୍ ବିଜେପି ତିଆରି କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ତେବେ ଏହି ଟୁଲକିଟ୍ ମିଥ୍ୟା ବୋଲି ଦର୍ଶାଇ ଟ୍ବିଟର୍ କମ୍ପାନୀ ଏହା ଉପରେ “ମାନୁପଲେଟେଡ୍ ମିଡିଆ ” ଟ୍ୟାଗ୍ ଲଗାଇ ଦେଇଛି। 

Related Posts