ସମଲେଶ୍ବରୀଙ୍କ ସୌନ୍ଦର୍ଯୀକରଣ ପ୍ରକଳ୍ପ; କ୍ଷତିପୂରଣ ଦେବାର ପାତରଅନ୍ତରକୁ ବିରୋଧ କରି ରାଜଧାନୀରେ ପ୍ରତିବାଦ କଲେ ବିସ୍ଥାପିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିର ସୌନ୍ଦର୍ଯୀକରଣକୁ ସ୍ବାଗତ କରୁଛୁ। କିନ୍ତୁ ବିସ୍ଥାପିତଙ୍କୁ କ୍ଷତିପୂରଣ ଦେବାରେ ପାତରଅନ୍ତରକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଦଳିତ ବୋଲି ଏଭଳି ଅନ୍ୟାୟ କରାଯାଉଛି କି ? ବୋଲି ରାଜଧାନୀକୁ ଆସି ପ୍ରଶ୍ନ କରିଛନ୍ତି ସମ୍ବଲପୁର ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ବିସ୍ଥାପିତ ମାନେ। ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରାଯାଇଛି।

ଏହି ଦାବିପତ୍ରରେ କୁହାଯାଇଛି ଯେ, ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟୀକରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଦଳିତ ପ୍ରଭାବିତ ଅଞ୍ଚଳ ଘୁନଘୁଟି ପଡ଼ାରୁ ଆରମ୍ଭ ହୋଇଛି। ଏଠାରେ ବିସ୍ଥାପିତ ହେବାକୁ ଥିବା ୨୨୦ଟି ପରିବାର ମଧ୍ୟରୁ ସମୁଦାୟ ୧୨୦ ଜଣଙ୍କୁ ଉଚ୍ଛେଦ କରାଯାଇଛି। ସେମାନଙ୍କୁ କ୍ଷତିପୂରଣ ପ୍ୟାକେଜ ସ୍ବରୂପ, ୬୪୦ ବର୍ଗଫୁଟର ଜମି, ଘର ମୂଲ୍ୟାୟନ ଅର୍ଥ, ପରିବହନ ବାବଦରେ ୬ ହଜାର, ୬ ମାସର ଘର ଭଡ଼ା ୨୫ ଶହ ଏବଂ ଘର ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ଦିଆଯାଇଛି।

ଅନ୍ୟପକ୍ଷରେ ଏହି ପ୍ରକଳ୍ପରେ ବିସ୍ଥାପିତ ଅନ୍ୟ ବର୍ଗମାନଙ୍କୁ ୧୨୦୦ ବର୍ଗଫୁଟ ଜମି, ପରିବହନ ବାବଦରେ ୧ ଲକ୍ଷ ଟଙ୍କା, ଘର ଭଡ଼ା ପାଇଁ ୧୨ ହଜାର, ବ୍ୟକ୍ତିପିଛା କ୍ଷତିପୂରଣ ୨୦ ଲକ୍ଷ ଏବଂ ବର୍ତ୍ତମାନ ରହୁଥିବା ଘରଠାରୁ ୫୦୦ ମିଟର ଦୂରରେ ଥଇଥାନ କରାଯାଉଛି। ଏଭଳି ବିଭେଦ କାହିଁକି ବୋଲି ବିସ୍ଥାପିତ ମାନେ ପ୍ରଶ୍ନ କରିଛନ୍ତି। ଏଥିସହିତ କହିଛନ୍ତି ଯେ, ଉଚ୍ଛେଦ ହୋଇଥିବା ୧୫୦ ବିସ୍ଥାପିତ ପରିବାର ମଧ୍ୟରୁ ୧୦୦ ଜଣ ଘର ନିର୍ମାଣ ଆରମ୍ଭ କରିଥିଲେ। ମାତ୍ର ଛାତ ନପଡ଼ୁଣୁ ଅଧିକାଂଶଙ୍କ କ୍ଷତିପୂରଣ ଟଙ୍କା ସରିଯାଇଛି। ଏବେ ସେମାନଙ୍କ ଅବସ୍ଥା କଣ ହେବ ବୋଲି ପ୍ରଶ୍ନ କରିଛନ୍ତି। ସେମାନଙ୍କ କ୍ଷତିପୂରଣ ରାଶି ବୃଦ୍ଧି କରାନଗଲେ ସେମାନେ କେଉଁ ଆଡ଼କୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି। ଏପଟେ ତାଙ୍କ ପୁନର୍ବାସ କଲୋନିରେ ରାସ୍ତା, ପାଣି, ବିଜୁଳି, ନାଳି, ସ୍ବରାଜ, କଲ୍ୟାଣ ମଣ୍ଡପ, କ୍ଲବ ଘର, କମ୍ୟୁନିଟି ହଲ, ଶିଶୁ ଉଦ୍ୟାନ, ମନ୍ଦିର, ମଠ, ଅଙ୍ଗନବାଡି କେନ୍ଦ୍ର, ସ୍କୁଲ, ସ୍ବାସ୍ଥ୍ୟ ସେବା ଆଦି ଦେବା ପାଇଁ ପ୍ରତିଶ୍ରୁତି ଥିଲା। ମାତ୍ର ୬ ମାସ ପରେ ମଧ୍ୟ କୌଣସି ସୁବିଧା ହୋଇ ପାରି ନାହିଁ। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ବିସ୍ଥାପିତ ମାନେ ଦାବି କରିଛନ୍ତି।

Related Posts