ବିଧାନସଭାରେ ସନାଙ୍କ କାଚ ମଦ ବୋତଲ ଚିନ୍ତା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କାଚ ମଦ ବୋତଲ ବ୍ୟବହାର ଫଳରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଦୁଆମାନେ ମଦ ପିଇସାରିବା ପରେ ଏହାକୁ ରାସ୍ତାଘାଟ ଏପରିକି ବିଭିନ୍ନ ଜଳାଶୟକୁ ଫିଙ୍ଗି ଦେଉଥିବାରୁ ଏହାଦ୍ୱାରା ପରିବେଶ ଦୂଷିତ ହେବା ସହ ଛୋଟବଡ଼ ଦୁର୍ଘଟଣା ଘଟୁଥିବାରୁ ବିଜେଡି ବିଧାୟକ ସନା ମହାକୁଡ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆଜି ବିଧାନସଭାରେ ସନାଙ୍କ ମଦ ବୋତଲ ଆଉ ପରିବେଶ ଚିନ୍ତା ପ୍ରସଙ୍ଗ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ସନାଙ୍କ କହିବା କଥା ମଦୁଆମାନେ ଏହାକୁ ଏଣେ ତେଣେ ଫୋପାଡ଼ି ଛୋଟ ବଡ଼ ଦୁର୍ଘଟଣା ଘଟାଉଥିବାରୁ କାଚ ମଦ ବୋତଲକୁ ବଦଳାଯାଇ ଏହାର ବିକଳ୍ପ ବ୍ୟବସ୍ଥା କରାଯାଉ।

ବିଧାନସଭାରେ ଏକ ଲିଖିତ ପ୍ରଶ୍ନ କରି ସନା ଦାବି କରିଛନ୍ତି ଯେ, କାଚ ବୋତଲରେ ମଦ ବିକ୍ରି ହେଉଥିବାରୁ ବ୍ୟବହାର ପରେ ଅଧିକାଂଶ ଲୋକ ଏହାକୁ ଭାଙ୍ଗି ବାହାରେ ଫିଙ୍ଗୁଛନ୍ତି। ଏପରିକି ଚାଷ ଜମି, ଖୋଲା ପଡ଼ିଆ, ରାସ୍ତାକଡ଼ ଏହି ମଦ ବୋତଲକୁ ଫିଙ୍ଗା ଯାଉଛି। ନିଶା ହୋଇଗଲା ପରେ ମଦ୍ୟପମାନେ ସ୍ଥାନକାଳ ନଦେଖି ଯୋଉଠି ପାରୁଛନ୍ତି ସେଠି ମଦ ବୋତଲକୁ ଫୋପାଡ଼ି ଦେଉଛନ୍ତି। ଫଳରେ ସାଧାରଣ ଲୋକ ଓ ଜୀବଜନ୍ତୁ ଏହାକୁ ମାଡ଼ି ଆହତ ହେଉଛନ୍ତି। ଏ ବାବଦରେ ସରକାର ଅବଗତ ଅଛନ୍ତି କି ନାଇଁ ବୋଲି ସେ ପ୍ରଶ୍ନ କରିବା ସହ ଯଦି ଅବଗତ ଥାଆନ୍ତି ତେବେ ଏ ଦିଗରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି କି ବୋଲି ପ୍ରଶ୍ନ କରିଥିଲେ।

ଏହି ପ୍ରଶ୍ନର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ, ରାଜ୍ୟରେ କାଚ ବୋତଲରେ ମଦ ବିକ୍ରି ହେଉଛି। କିନ୍ତୁ ଏହାର ବ୍ୟବହାର ପରେ ମଦ୍ୟପମାନେ ବୋତଲକୁ ରାସ୍ତାଘାଟରେ ପକାଇବା ଓ ଏହାକୁ ମାଡ଼ି ସାଧାରଣ ଲୋକ ଓ ଜୀବଜନ୍ତୁ ଆହତ ହେବା ଖବର ସରକାରଙ୍କ ପାଖରେ ନାହିଁ। ତେବେ ସରକାର କେବଳ କାଚ ମଦ ବୋତଲ ବ୍ୟବହାର କରୁନାହାଁନ୍ତି। ଟେଟ୍ରା ପ୍ୟାକ୍‌ରେ ମଧ୍ୟ ସରକାର ମଦ ବିକ୍ରି ପାଇଁ ବ୍ୟବସ୍ଥା କରିଥିବା ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ।

Related Posts