ପଞ୍ଜାବରେ ଆପର ବିଜୟ ହେବା ପଛରେ ରହିଛି ସନ୍ଦୀପ ପାଠକଙ୍କର ରଣନୀତି; ଜାଣନ୍ତୁ ତାଙ୍କ ବିଷୟରେ …

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତଥର ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । କଂଗ୍ରେସର ଗଡ଼ କୁହାଯାଉଥିବା ପଞ୍ଜାବରେ ଆପ ଏଥର ବାଜି ମାରିଛି । ଏହା ମଧ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ୩ ପ୍ରାର୍ଥୀ ଘୋଷଣା କରିଛି। ସେପଟେ ରାଜ୍ୟସଭା ନିର୍ବାଚନ ପାଇଁ ପଞ୍ଜାବର ଆପ ଦାୟିତ୍ୱରେ ଥିବା ରାଘବ ଚଡ୍ଡା କ୍ରିକେଟର ହରଭଜନ ସିଂ ଏବଂ ସନ୍ଦୀପ ପାଠକଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ରାଜ୍ୟସଭା ନିର୍ବାଚନରେ ସନ୍ଦୀପ ପାଠକଙ୍କ ନାମ ସାମ୍ନାକୁ ଆସିବା ପରେ ସାରା ଦେଶରେ ସନ୍ଦୀପକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ସନ୍ଦୀପ ପାଠକଙ୍କୁ ବିଷୟରେ ଜାଣିବା ପାଇଁ ଲୋକମାନଙ୍କ ପାଖରେ ଢ଼େର ଆଗ୍ରହ ଦେଖିବାକୁ ମିଳୁଛି । ତେବେ ସନ୍ଦୀପ ଅରବିନ୍ଦ କେଜ୍ରିୱାଲଙ୍କ ମୂଳ ଦଳର ଜଣେ ପ୍ରମୁଖ ସଦସ୍ୟ ଏବଂ ଆଇଆଇଟି ଦିଲ୍ଲୀର ସହକାରୀ ପ୍ରଫେସର। କୁହାଯାଉଛି ପଞ୍ଜାବରେ ଆପର ବିଜୟ ପଛରେ ସନ୍ଦୀପ ପାଠକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଜଣାପଡିଛି । ସନ୍ଦୀପ ଦୀର୍ଘ ବର୍ଷ ଧରି ଆପ ପାଇଁ ରଣନୀତି କାର୍ଯ୍ୟ କରିଆସୁଛନ୍ତି ।

ପଞ୍ଜାବରେ ମଧ୍ୟ ସେ ଆପ ପାଇଁ ଏକ ନିଆରା ରଣନୀତି ପ୍ରସ୍ତୁତ କରିଛନ୍ତି । ଯାହା ବିରୋଧୀଙ୍କୁ ମାତ ଦେବାରେ ଏଥର ନିର୍ବାଚନରେ ସକ୍ଷମ ହୋଇଥିଲା । ପଞ୍ଜାବରେ ସନ୍ଦୀପ ଚୁପଚାପ୍ କାମ କରି ଲାଇମଲାଇଟ୍ ଠାରୁ ଦୂରରେ ରହିଲେ। ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ମେନିଫେଷ୍ଟୋ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସନ୍ଦୀପ ପଠକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବଡ ବିଜୟ ପାଇଁ ଅରବିନ୍ଦ କେଜ୍ରିୱାଲ ସନ୍ଦୀପ ପଠକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଅନ୍ୟପଟେ ସନ୍ଦୀପ ଆଇଆଇଟି ଦିଲ୍ଲୀରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ ଏବଂ ଏହା ପରେ ସେ ବହୁ ବର୍ଷ ବିଦେଶରେ କାର୍ଯ୍ୟ କରିଥିଲେ । ବିଦେଶରୁ ଫେରିବା ପରେ ସନ୍ଦୀପ ରଣନୀତିଜ୍ଞ ଭାବରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ପଞ୍ଜାବରେ ଆପ ପାଇଁ କାମ ଆରମ୍ଭ କରିଥିଲେ। ଇତିମଧ୍ୟରେ ସନ୍ଦୀପ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ କିଛି ସମୟ କାମ କରିଥିବା କୁହାଯାଉଛି।

Related Posts