କଳ୍ପନା ଜଳ୍ପନା ର ଅନ୍ତ : ଶରତ ପଟ୍ଟନାୟକ ନୂଆ ପିସିସି ସଭାପତି

ସତ୍ୟପାଠ ବ୍ୟୁରୋ, ୨୩/୦୫; ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ନୂତନ ସଭାପତି ଭାବେ ନିଯୁକ୍ତ। ଏ ଆଇ ସି ସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତି ରେ ଶରତ ପଟ୍ଟନାୟକଙ୍କୁ ନବ ନିଯୁକ୍ତ ପିସିସି ସଭାପତି ବୋଲି ଘୋଷଣା କରାଯାଇଛି। ଏଥି ସହିତ ଦୀର୍ଘ ଦିନ ଧରି ପିସିସି ସଭାପତି କିଏ ହେବ ଏ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାର ଅନ୍ତ ଘଟିଛି।

ନିରଞ୍ଜନ ପଟ୍ଟନାୟକଙ୍କ ପରେ ପିସିସି ରେସ୍ ରେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ୍ , ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ , ତାରା ପ୍ରସାଦ ବାହିନୀପତିଙ୍କ ନାଁ ଚର୍ଚ୍ଚାରେ ଥିଲା। ଶେଷରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶରତ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଶରତ ପଟ୍ଟନାୟକ ପୂର୍ବରୁ ଥରେ ପିସିସି ସଭାପତି ଦାୟୀତ୍ବ ତୁଲାଇ ସାରିଛନ୍ତି।

ଶରତ ପଟନାୟକଙ୍କ ସପକ୍ଷରେ ଯେଉଁ ଯୁକ୍ତି କାମ କଲା ତାହା ହେଉଛି, ଶରତ ବାବୁ ପୂର୍ବତନ ପିସିସି ସଭାପତି ରହିସାରିଥିଲେ ମଧ୍ୟ ସେ ସମସ୍ତ ପିସିସି ସଭାପତି ଙ୍କୁ ସହଯୋଗ କରିଆସିଛନ୍ତି। ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ସବୁବେଳେ ସକ୍ରୀୟ ଯୋଗଦାନ ରହିଆସିଛି।

ପିସିସି ସଭାପତି ଭାବରେ ଶରତଙ୍କ ପାଇଁ ସବୁଠାରୁ ବଡ ଆହ୍ଵାନ ହେଉଛି, ଦଳର ଆର୍ଥିକ ଦୁଃସ୍ଥିତି କୁ କିଭଳି ସମ୍ଭାଳିବେ, ଦଳର ବିଭିନ୍ନ ଗୋଷ୍ଠୀ ସହ ସମନ୍ୱୟ ରକ୍ଷା ଏବଂ ରାଜ୍ୟରେ କଂଗ୍ରେସର ନିମ୍ନଗାମୀ ବିଶ୍ୱସନୀୟତା କୁ କିଭଳି ସମ୍ଭାଳିବେ।

Related Posts