“ଉତ୍ତର ପ୍ରଦେଶରେ ଆଇନର ଶାସନରେ ଘୋର ଉଲଂଘନ”, ୮୭ ଜଣ ପୂର୍ବତନ ବ୍ୟୁରୋକ୍ରାଟ ଆଣିଲେ ସଙ୍ଗୀନ ଅଭିଯୋଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତର ୮୭ ପୂର୍ବତନ ବ୍ୟୁରୋକ୍ରାଟ୍ ଶୁକ୍ରବାର ଦିନ ବିଜେପି ନେତୃତ୍ୱାଧୀନ ୟୁପି ସରକାରଙ୍କୁ “ଆଇନ ଶାସନର ଘୋର ଉଲ୍ଲଂଘନ” ପାଇଁ ସମାଲୋଚନା କରିଛନ୍ତି। ଏକ ଖୋଲା ଚିଠିରେ ଦସ୍ତଖତକାରୀ ପୂର୍ବତନ ବ୍ୟୁରୋକ୍ରାଟ୍ ମାନେ ଉତ୍ତରପ୍ରଦେଶର ଶାସନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟରେ ନ୍ୟାୟିକ ହତ୍ୟା, ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ଧର୍ମାନ୍ତରଣ ବିରୋଧୀ ଆଇନର ଅପବ୍ୟବହାର ଏବଂ କୋଭିଡ -19 ପରିଚାଳନାରେ ତ୍ରୁଟି ଉପରେ ଆଲୋକପାତ କରିଛନ୍ତି। ପୂର୍ବତନ ବ୍ୟୁରୋକ୍ରାଟ୍ ମାନେ କହିଛନ୍ତି, “ଆମେ ସତର୍କ କରାଇ ଦେଉଛୁ ଯେ ୟୁପିରେ ବର୍ତ୍ତମାନର ଶାସକ ଏମିତି ଏକ ଶାସନର ମଡେଲକୁ ଆପଣେଇଛନ୍ତି ଯାହା ସମ୍ବିଧାନର ମୂଲ୍ୟବୋଧ ତଥା ଆଇନ ଠାରୁ ଦିନକୁ ଦିନ ଦୂରେଇ ଯାଉଛି।

    ସେମାନେ ଅଭିଯୋଗ କରିଛନ୍ତି ଯେ ଉତ୍ତରପ୍ରଦେଶର ସମସ୍ତ ପ୍ରଶାସନିକ ଶାଖା ଏବେ ଭୁଶୁଡି ପଡିଛି। ପୂର୍ବତନ ବ୍ୟୁରୋକ୍ରାଟ୍ ମାନେ କହିଛନ୍ତି, “ଆମେ ଆଶଙ୍କା କରୁଛୁ ଯେ, ଯଦି ଏହାକୁ ଏଵେ ରୋକା ନଯାଏ ତେବେ ରାଜ୍ୟ ରାଜନୀତି ଏବଂ ସଂସ୍ଥାଗୁଡ଼ିକର , ଗଣତନ୍ତ୍ରିକ ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରୁଛି।  ଗତ ବର୍ଷ ନାଗରିକ ସଂଶୋଧନ ଅଧିନିୟମ (CAA) କୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କିପରି ବଳ ପ୍ରୟୋଗ କରିଥିଲେ ସେ ନେଇ ପୂର୍ବତନ ବ୍ୟୁରୋକ୍ରାଟ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି ।

    “CAA, NRC ଏବଂ NPR ବିରୋଧରେ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସତ୍ତ୍ୱେ ୟୁପି ସରକାର ଆଲିଗଡରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କ ଉପରେ ପୋଲିସ ଲଗାଇ ଆନ୍ଦୋଳନକୁ ଦମନ କରିଥିଲେ। ମୁସଲିମ ବିଶ୍ୱବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କୁ ସାଧାରଣତଃ ଆତଙ୍କବାଦୀଙ୍କ ବିରୋଧରେ ନିୟୋଜିତ ଷ୍ଟଣ୍ଟ ଗ୍ରେନେଡ ଏବଂ ଲୁହବୁହା ଗ୍ୟାସ ସେଲ ବ୍ୟବହାର କରିଥିଲେ। ଏହା ସହ ବିରୋଧ ପ୍ରଦର୍ଶନକାରୀଙ୍କ ବିରୋଧରେ 10,900 ଏଫଆଇଆର ଦାଖଲ କରିଯାଇଥିଲା ।

ଏବଂ 22 ଜଣ ପ୍ରଦର୍ଶନକାରୀ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ।   ପୂର୍ବତନ ବ୍ୟୁରୋକ୍ରାଟ୍ ମାନେ ଏହି ଚିଠିରେ ଦର୍ଶାଇଛନ୍ତି ଯେ ଗତ ବର୍ଷ ଲକ୍ଷ୍ନୌରେ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ ଏବଂ ହିଂସାକାଣ୍ଡ ଅଭିଯୋଗରେ ଆକ୍ଟିଭିସ୍ଟଙ୍କ ଫଟୋକୁ ହୋର୍ଡିଂରେ ଲଗାଯାଇଥିଲା। 

 ସେମାନେ ଦାବି କରିଛନ୍ତି ଯେ, ଛାତ୍ର, ସଂଖ୍ୟାଲଘୁ ସମାଜର ଲୋକ , ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିବା ବ୍ୟକ୍ତିଙ୍କ ଉପରେ ନିର୍ଯାତନା ବନ୍ଦ କରିବା ସହ ପୋଲିସ୍ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ପୋଲିସ୍ ତଥ୍ୟ ଅନୁଯାୟୀ 2017 ରୁ 2020 ପର୍ଯ୍ୟନ୍ତ 6,476 “ଏନକାଉଣ୍ଟର” ରେ 124 ଜଣ କଥିତ ଅପରାଧୀଙ୍କୁ ହତ୍ୟା କରାଯାଇଥିଲା।

  ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରରେ ହୋଇଥିବା ଏନକାଉଣ୍ଟର ଆଇନର ସୀମା ଉଲଙ୍ଘନ କରିଛି, କାରଣ ତଥ୍ୟ ଦର୍ଶାଉଛି ଯେ ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଅଧିକାଂଶ ଲୋକ ହେଉଛନ୍ତି ଛୋଟ ଅପରାଧୀ କିମ୍ବା ନିର୍ଦ୍ଦୋଷ, ଯାହାଙ୍କ ବିରୁଦ୍ଧରେ କୌଣସି ବି ଅଭିଯୋଗ ପ୍ରମାଣିତ ହୋଇ ନାହିଁ ବୋଲି ପୂର୍ବତନ ବ୍ୟୁରୋକ୍ରାଟ୍ ମାନେ ଉଲ୍ଲେଖ କରିଛନ୍ତି। ପ୍ରାଣ ହରାଇଥିବା ଅଧିକାଂଶ ଲୋକ ମୁଖ୍ୟତଃ ମୁସଲମାନ, ଦଳିତ ଏବଂ ଅନ୍ୟ ପଛୁଆ ଜାତିର ଲୋକ । 

ଅଗଷ୍ଟ 2020 ସୁଦ୍ଧା ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଏକ ଅଧିକାଂଶ ମୃତକ ହେଉଛନ୍ତି ମୁସଲମାନ। ପୂର୍ବତନ ବ୍ୟୁରୋକ୍ରାଟ୍ ମାନେ ସୂଚାଇ ଦେଇଛନ୍ତି ଯେ ଯୋଗୀ ସରକାର କିପରି ହିନ୍ଦୁ ମହିଳାଙ୍କୁ ବିବାହ କରିଥିବା କିମ୍ବା ସେମାନଙ୍କ ସହ ସମ୍ପର୍କ ଥିବା ମୁସଲମାନ ପୁରୁଷଙ୍କ ବିରୋଧରେ ପୋଲିସ୍ ମନଇଚ୍ଛା ମାମଲା ଦାୟର କରିବାକୁ ଅନୁମତି ଦେଇଥିଲେ।

 “ଲଭ୍ ଜିହାଦ” କୁ ଦକ୍ଷିଣ ପନ୍ଥୀ ଲୋକଙ୍କ ଦ୍ୱାରା ପ୍ରସ୍ତୁତ ଏକ ଅପମାନ ଜନକ ଶବ୍ଦ ଯାହାକୁ ମୁସଲମାନମାଙ୍କୁ ଷଡଯନ୍ତ୍ର କରି ଦମନ କରିବାର ଏକ ମାଧ୍ୟମ।  ପୂର୍ବତନ ଅମଲା ମାନେ କହିଛନ୍ତି ଯେ, ଏହି ଅଧିନିୟମ ଲାଗୁ ହେବାର ମାତ୍ର ଏକ ମାସ ମଧ୍ୟରେ ହିନ୍ଦୁ କନ୍ୟା ଏବଂ ମୁସଲମାନ ପୁରୁଷଙ୍କ ମଧ୍ୟରେ ପ୍ରେମ କିମ୍ବା ବିବାହ ପରିବର୍ତ୍ତନ ହେତୁ 16 ଟି ମାମଲାରେ 86 ଜଣଙ୍କୁ ଗିରଫ କରାଯାଇଥିଲା।  “ମୁଖ୍ୟ ଅଭିଯୁକ୍ତଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସମେତ 54 ଜଣଙ୍କୁ ଗିରଫ କରାଯାଇଥିଲା।ସମସ୍ତ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମୁସଲିମ୍ ପୁରୁଷ।  

 ତେବେ ପୂର୍ବତନ ବ୍ୟୁରୋକ୍ରାଟ୍ ମାନେ ୟୁପି ସରକାରଙ୍କ କୋଭିଡ -19ର ଭୁଲ ପରିଚାଳନା ପାଇଁ ଯୋଗୀ ସରକାରଙ୍କୁ ସମାଲୋଚନା କରିଥିଲେ।  ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବନତି, ଅମ୍ଳଜାନ ସଙ୍କଟରୁ ହୋଇଥିବା ମୃତ୍ୟୁ ଏବଂ ଗଙ୍ଗା ଭଳି ପବିତ୍ର ନଦୀଗୁଡ଼ିକରେ ମୃତଦେହ ଭସାଯିବା ଏବଂ ନଦୀ କୂଳରେ କବର ଦିଆଯିବା ଭଳି ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। 

   ସେମାନେ କହିଛନ୍ତି ଯେ, ସରକାର ଏହି ବିପର୍ଯ୍ୟୟର ସଠିକ୍ ମୁକାବିଲା ନକରିବାରୁ ୟୁପିର ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଵାକୁ ପଡୁଛି। ପୂର୍ବତନ ବ୍ୟୁରୋକ୍ରାଟ୍ ମାନେ ଦର୍ଶାଇଛନ୍ତି ଯେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିପରି ରାଜ୍ୟରେ ଅମ୍ଳଜାନ ଅଭାବକୁ ଅସ୍ୱୀକାର କରିଛନ୍ତି ଏବଂ ମିଥ୍ୟା ତଥ୍ୟ ପ୍ରଚାର କରୁଥିବା ଅଭିଯୋଗରେ ପ୍ରକୃତ ତଥ୍ୟ ସାମ୍ନାକୁ ଆଣୁଥିବା ଲୋକଙ୍କ ଗିରଫ କରାଯିବ ବୋଲି କହିଥିଲେ।

Related Posts