ନୂଆଦିଲ୍ଲୀ: ଇରାକରେ ଜାରୀ ରହିଛି ରାଜନୈତିକ ସଂକଟ । ଏହାରି ଭିତରେ ଶିଆ ଧର୍ମଗୁରୁ ମୁକ୍ତଦା ଅଲ-ସଦରଙ୍କ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ପରେ ପୁଣି ଥରେ ମୁଣ୍ଡ ଟେକିଛି ହିଂସା । ଶିଆ ଧର୍ମଗୁରୁ ମୁକ୍ତାଦା ଅଲ-ସଦରଙ୍କ ଘୋଷଣା ପରେ ତାଙ୍କର ସମର୍ଥକ ସରକାରୀ ମହଲରେ ପହଞ୍ଚିଥିଲେ । ମିଡିଆ ରିପୋର୍ଟ ଅନୁସାରେ, ଦେଶର ରାଜଧାନୀରେ ଉଗ୍ର ପ୍ରଦର୍ଶନ ହେଉଛି, କେବଳ ଏହା ନୁହେଁ ରାଜଧାନୀରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି । ବଗଦାଦରେ ଏହି ଦଙ୍ଗାରେ ଦୁଇ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ଶିଆ ଧର୍ମଗୁରୁଙ୍କ ସମର୍ଥନରେ ଜାରି ବିରୋଧ ପ୍ରଦର୍ଶନ ଭିତରେ ଇରାକ ସେନା ସୋମବାର ସଂଧ୍ୟାରେ ସାରା ଦେଶରେ କର୍ଫ୍ୟୁ ଘୋଷଣା କରିଛି ।
ଉଲ୍ଲେଖଯୋଗ୍ୟ, ଇରାକର ପ୍ରଭାବଶାଳୀ ଶିଆ ଧର୍ମଗୁରୁ ମୁକ୍ତଦା ଅଲ-ସଦର ସୋମବାର ଏକ ଟ୍ୱିଟ କରି ରାଜନୀତିରୁ ସନ୍ନ୍ୟାସ ନେବା ଏବଂ ନିଜର ଦଳୀୟ କାର୍ଯ୍ୟାଳକୁ ବନ୍ଦ କରିବା ନେଇ ଘୋଷଣା କରିଥିଲେ । ଏହା ପରେ ତାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇ ଥିଲେ ଏବଂ ସରକାରୀ ମହଲ ଆଡକୁ ବଢିଥିଲେ । ଏଠାରେ ପ୍ରଦର୍ଶନକାରୀ ରିପବ୍ଲିକାନ ପ୍ୟାଲେସ ବାହାରେ ଜୋରଦାର ହଙ୍ଗମା କରିବା ସହ ଫାଟକ ଭାଙ୍ଗି ଦେଇଥିଲେ । ବଗଦାଦରେ ବଦଳୁ ଥିବା ସ୍ଥିତିକୁ ଦେଖି ଇରାକ ସେନା ସହରରେ କର୍ଫ୍ୟୁ ଘୋଷଣା କରିଛି । ଏହା ସହ ଶିଆ ଧର୍ମଗୁରୁଙ୍କ ସମର୍ଥକଙ୍କୁ ମହଲ ଠାରୁ ଦୂରକୁ ଯିବା ସହ ସଂଘର୍ଷ ଶେଷ କରିବାକୁ ଅପିଲ କରିଛନ୍ତି ।
ଏହା ପ୍ରଥମ ଥର ନୁହେଁ ଯେତେବେଳେ ଶିଆ ଧର୍ମଗୁରୁ ଅଲ-ସଦର ରାଜନୀତିରୁ ସନ୍ନ୍ୟାସ ନେବା ପଇଁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଏପରି କରି ସାରିଛନ୍ତି। ତେବେ କିଛି ଲୋକଙ୍କ ଆଶଂକା ଚଳିତ ଥର ତାଙ୍କର ଏହି ପଦକ୍ଷେପ ଦେଶର ସ୍ଥିତିକୁ ଅଧିକ ଜଟିଳ କରିପାରେ ।
