‘କଟ୍ଟପାକୁ ଶିବସୈନିକ କେବେ କ୍ଷମା ଦେବେ ନାହିଁ’; ଦଶହରା ରାଲିରେ ସିନ୍ଦେଙ୍କୁ ଟାର୍ଗେଟ କଲେ ଉଦ୍ଧବ ଠାକରେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରରେ ଗୋଟିଏ ବିଧାନସଭା ଆସନ ପାଇଁ ଉପନିର୍ବାଚନ ବିଗୁଲ ବାଜି ସାରିଛି। ଏହାରି ଭିତରେ ରାଜ୍ୟରେ ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇ ଯାଇଛି। ବୁଧବାର ଦଶହରା ଅବସରରେ ଶିବସେନାର ଦୁଇ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏହି ଅବସରରେ ନିଜର ଦମ୍ ଦେଖାଇ ଦୁଇଟି ପୃଥକ ପୃଥକ ରାଲି କରି ପରସ୍ପରକୁ ଟାର୍ଗେଟ୍ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବାଜୀ ପାର୍କରେ ଦଶହରା ରାଲି ଅନୁଷ୍ଠିତ ହୋଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ରେ ଦଶହରା ରାଲି ଅନୁଷ୍ଠିତ ହୋଇଛି। ଉଭୟ ରାଲିରେ ବାଲାସାହେବ ଠାକରେଙ୍କୁ ସମ୍ମାନର ଚିହ୍ନ ଭାବରେ ମଞ୍ଚ ଉପରେ ସ୍ଥାନିତ କରାଯାଇଥିଲା।

ତେବେ ଶିବାଜୀ ପାର୍କରେ ଦଶହରା ରାଲିକୁ ସମ୍ବୋଧନ କରି ଉଦ୍ଧବ ଠାକରେ ଏକନାଥ ସିନ୍ଦେଙ୍କୁ କଡା ଟାର୍ଗେଟ କରିଛନ୍ତି। ଉଦ୍ଧବ ଏହି ଅବସରରେ ଏକନାଥଙ୍କୁ ‘କଟ୍ଟପା’ କହି ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ଉଦ୍ଧବ।ଉଲ୍ଲେଖଯୋଗ୍ୟ ଯେ, ବାହୁବଳୀ ଫିଲ୍ମର ପ୍ରମୁଖ ଖଳନାୟକ ଚରିତ୍ର ହେଉଛି ‘କଟ୍ଟପା’ । ଆଉ ଶିବ ସୈନିକ କେବେ ହେଲେ କଟ୍ଟପାକୁ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି । ଆଉ ବିଜେପି ସହିତ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆସନ ନେଇ ବୁଝାମଣା ହୋଇଥିଲା ବୋଲି ମଧ୍ୟ ସେ କହିଛନ୍ତି। ଏଥିପାଇଁ ସେ ତାଙ୍କ ବାପା ତଥା ବାଲାସାହେବ ଠାକରେ ଏବଂ ତାଙ୍କ ମାଙ୍କ ରାଣ ଖାଇଛନ୍ତି।

ତେବେ ନିକଟରେ ମହାରାଷ୍ଟ୍ର ଗସ୍ତରେ ଆସିଥିବା ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଆସନ ନେଇ ଶିବସେନା ପ୍ରମୁଖ ଉଦ୍ଧବଙ୍କ ସହ କୌଣସି ଆଲୋଚନା ହୋଇନଥିଲା ବୋଲି କହିଥିଲେ। ଯିଏ ପଛରୁ ଛୁରୀ ଭୁସୁଛି ତାକୁ କେବେ କ୍ଷମା ଦିଆଯିବ ନାହିଁ ବୋଲି ଶାହ କହିଥିଲେ। ଏହାପରେ ଦଶହରା ରାଲି ଅବସରରେ ଉଦ୍ଧବ ଶାହଙ୍କ କଥାକୁ ଖଣ୍ଡନ କରିବା ସହିତ ମୁଖ୍ୟମନ୍ତ୍ରୀ ଆସନ ନେଇ ଆଲୋଚନା ହୋଇଥିବା କଥା ଦୋହରାଇଛନ୍ତି।

ଏକନାଥ ସିନ୍ଦେଙ୍କ ଶିବିରକୁ ଟାର୍ଗେଟ କରି ଉଦ୍ଧବ ଠାକରେ କହିଛନ୍ତି ଯେ, ସେ ତାଙ୍କ ଉପରେ ଲାଗିଥିବା ବିଶ୍ୱାସଘାତକର ପରିଚୟ କେବେ ଲିଭାଇ ପାରିବେନାହିଁ। ମନ୍ତ୍ରୀ ପଦ କିଛି ଦିନ ରହିବ, କିନ୍ତୁ ବିଶ୍ୱାସଘାତକର ସଂଜ୍ଞା ତାଙ୍କ ସହ ଜୀବନ ସାରା ରହିବ ବୋଲି ସେ କହିଛନ୍ତି। ଠାକରେ ଆହୁରି କହିଛନ୍ତି ଯେ, ଆଜି ଏହି ରାଲିକୁ ଟଙ୍କା ନେଇ କୌଣସି ବ୍ୟକ୍ତି ଆସି ନାହାନ୍ତି। ଏଠାରେ ଉପସ୍ଥିତ ସମସ୍ତେ ବିଶ୍ୱସ୍ତ ଶିବ ସୈନିକ ଅଟନ୍ତି।

ଏହି ଅବସରରେ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଆମର ବିଜେପିଠାରୁ ହିନ୍ଦୁତ୍ୱ ଶିଖିବା ଆବଶ୍ୟକ ନାହିଁ। ଆମେ ବିଜେପି ସହ ମେଣ୍ଟ ଭାଙ୍ଗିଛୁ ଏହାର ଅର୍ଥ ନୁହେଁ ଯେ ଆମେ ହିନ୍ଦୁତ୍ୱ ଛାଡିଛୁ। ସେ ଆଜି ବି ଜଣେ ହିନ୍ଦୁ ଏବଂ ସବୁଦିନ ପାଇଁ ହିନ୍ଦୁ ରହିବେ ବୋଲି ଉଦ୍ଧବ କହିଛନ୍ତି।

Related Posts