
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଶେଷ ହେବାର ନାଁ ନେଉନାହିଁ। ବିଜେପି ସହ ମିଶି ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ମହାରାଷ୍ଟ୍ର ବିଧାନସଭାର ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ଭାଗବତ ୫୩ ଶିବସେନା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଶିନ୍ଦେଙ୍କ ଗୋଷ୍ଠୀର ୩୯ ବିଧାୟକ ଏବଂ ଉଦ୍ଧବଙ୍କ ଗୋଷ୍ଠୀ ୧୪ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏକ ସପ୍ତାହ ମଧ୍ୟରେ ଶିବସେନା ବିଧାୟକମାନଙ୍କୁ ଏହି ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ, ଜୁଲାଇ ୩ ଓ ୪ ତାରିଖରେ ବିଧାନସଭାରେ ଆସ୍ଥା ଭୋଟ ବେଳେ ଉଭୟ ପକ୍ଷର ବିଧାୟକ ହ୍ବିପ୍କୁ ଅବହେଳା କରିଛନ୍ତି। ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଉଭୟ ପକ୍ଷର ବିଧାୟକ ଅଭିଯୋଗ କରିଛନ୍ତି। ତେବେ ଶିନ୍ଦେଙ୍କ ପକ୍ଷରୁ ହୋଇଥିବା ଅଭିଯୋଗରେ ଆଦିତ୍ୟ ଠାକ୍ରେଙ୍କ ନାଁ ନାହିଁ। ଶିବସେନାର ୫୫ ବିଧାୟକ ଥିବା ବଳେ ଆଦିତ୍ୟ ଠାକରେଙ୍କ ବ୍ୟତୀତ ଏହି ତାଲିକା ରେ ଆଉ ଜଣେ ବିଧାୟକଙ୍କ ନାଁ ନାହିଁ। ତେବେ ୫୩ ବିଧାୟକଙ୍କୁ ସପ୍ତାହକ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ସୋମବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।
ଆସନ୍ତା ସପ୍ତାହରେ ନବଗଠିତ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟକୁ ସମ୍ପ୍ରସାରଣ କରାଯାଇପାରେ ବୋଲି କୁହାଯାଉଛି। ସେପଟେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଦିଲ୍ଲୀ ଯାଇ କ୍ୟାବିନେଟ୍ ସମ୍ପ୍ରସାରଣ ବିଷୟରେ ବିଜେପି ର ଶୀର୍ଷ ନେତୃତ୍ୱ ଙ୍କୁ ଭେଟିଛନ୍ତି।