କେଜରିୱାଲଙ୍କ ସିଙ୍ଗାପୁର ଷ୍ଟ୍ରେନ୍ ମନ୍ତବ୍ୟକୁ ‘ଦାୟିତ୍ବହୀନ’ କହିଲା ଶିବସେନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଭାରିଏଣ୍ଟ ଟ୍ବିଟ୍ କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ବୈଦେଶିକ ମନ୍ତ୍ରଣାଳୟର କଡା ବିରୋଧ ପରେ ଏବେ କେଜରିୱାଲଙ୍କ ମନ୍ତବ୍ୟକୁ ‘ଦାୟିତ୍ବହୀନ’ କହିଛି ଶିବସେନା। ଶିବସେନା ସାଂସଦ ସାଂସଦ ପ୍ରିୟଙ୍କା ଚତୁର୍ବେଦି କହିଛନ୍ତି,” ସିଙ୍ଗାପୁର ଦୀର୍ଘ ସମୟ ଧରି ଭାରତର ସହଯୋଗୀ ରହି ଆସିଛି ଏବଂ ବିଶେଷ କରି କୋଭିଡ୍ ସମୟରେ ଭାରତକୁ ଦୃଢ ସମର୍ଥନ ଦେଇଛି । ଏହା ସହ ଅନେକ ଭାରତୀୟ ବି ସିଙ୍ଗାପୁରରେ ରୁହନ୍ତି । କୌଣସି ସଠିକ୍ ତଥ୍ୟ ବିନା ଏପରି ଦାୟିତ୍ବହୀନ ଏବଂ ଭିତ୍ତିହୀନ ଅଭିଯୋଗ ଦ୍ୱାରା ଭାରତ ଓ ସିଙ୍ଗାପୁର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ କ୍ଷତି ପହଞ୍ଚିପାରେ। ”

ସୂଚନାଯୋଗ୍ୟ, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଯେ ,” ସିଙ୍ଗାପୁର ସହିତ ସମସ୍ତ ବିମାନ ସେବାକୁ ତୁରନ୍ତ ବାତିଲ କରାଯାଉ କାରଣ ସେଠାରେ ଦେଖାଦେଇଥିବା କରୋନାର ନୂତନ ଷ୍ଟ୍ରେନ୍ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ । କେଜ୍‌ରିୱାଲ ଚେତାବନୀ ଦେଇଥିଲେ ଯେ, ଏହି ନୂତନ ଭାଇରସ ଭାରତକୁ ତୃତୀୟ ଲହର ଭାବେ ଆସିପାରେ। ” ଏହାର ପ୍ରତିକ୍ରିୟା ରଖି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ, କୋଭିଡ ବିରୋଧରେ ସିଙ୍ଗାପୁର ଓ ଭାରତ ଏକାଠି ହୋଇ ଲଢ଼େଇ କରିଛନ୍ତି। ସିଙ୍ଗପୁରର ଲଜିଷ୍ଟିକ ହବ ଓ ଅକ୍ସିଜେନ ସପ୍ଲାଏକୁ ଭାରତ ହୃଦୟରୁ ଧନ୍ୟବାଦ ଜଣାଉଛି। ମିଲିଟାରୀ ଯୁଦ୍ଧ ବିମାନ ସହଯୋଗ ପାଇଁ ମୁତୟନ କରିବା ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିବା ସମ୍ପର୍କର ଗଭୀରତାକୁ ଦର୍ଶାଉଛି।ଦାୟିତ୍ୱହୀନ ମନ୍ତବ୍ୟ ଦେଉଥିବା ଲୋକମାନେ ଭଲ ଭାବେ ବୁଝିବା ଦରକାର ଯେ ସେମାନଙ୍କର ମନ୍ତବ୍ୟ ଦୀର୍ଘ ଦିନର ବନ୍ଧୁତାରେ ଫାଟ ସୃଷ୍ଟି କରିପାରେ। ‘ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କ ପ୍ରତିନିଧିତ୍ବ କରୁ ନାହାନ୍ତି ।’ “

Related Posts