ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନଭିସ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ । ଶୁକ୍ରବାର ଦୁଇ ନେତା ଦିଲ୍ଲୀରେ ପହଞ୍ଚିଥିବା ବେଳେ, ଶନିବାର ଦୁହେଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହାପରେ ଦୁଇ ନେତା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।

ଦୁଇ ନେତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କୁ ଭେଟି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ବିସ୍ତାର ଉପରେ ଆଲୋଚନା କରିଥିବା ଚର୍ଚ୍ଚା ଜୋର ।

ଜୁଲାଇ ୧୧ରେ ମହାରାଷ୍ଟ୍ର ଉପରେ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବା ପୂର୍ବରୁ ସିନ୍ଦେ ଏବଂ ଫଡନଭିସ ଦିଲ୍ଲୀରେ ପହଞ୍ଚିଛନ୍ତି । ଶିବସେନା ନେତା ଉଦ୍ଧାବ ଠାକରେଙ୍କ ଗୋଷ୍ଠୀ ଏକାନାଥ ସିନ୍ଦେ ଏବଂ ଅନ୍ୟ ୧୫ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଦାବି ନେଇ ସର୍ବୋଚ୍ଚ ଅଦାଲତରେ ଯାଚିକା ଦାଖଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ନ୍ୟାୟପାଳିକା ଉପରେ ଆମର ବିଶ୍ୱାସ ଅଛି। ତାଙ୍କ ନେତୃତ୍ୱଧୀନ ଗୋଷ୍ଠୀକୁ ଶିବସେନାର ଦୁଇ-ତୃତୀୟାଂଶ ବିଧାୟକଙ୍କ ସମର୍ଥନ ରହିଛି। ସିନ୍ଦେଙ୍କ ବିଦ୍ରୋହରୁ ଆରମ୍ଭ ହୋଇଥିବା ବିଭାଜନ ପୂର୍ବରୁ ଶିବସେନା ପାଖରେ ୫୫ ବିଧାୟକ ଥିଲେ। ଏବେ ପ୍ରାୟ ୪୦ ବିଧାୟକ ସିନ୍ଦେଙ୍କ ସମର୍ଥନ କରିଥିଲେ। ଗତ ଜୁଲାଇ ୪ରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ବିଧାନସଭାରେ ବହୁମତ ହାସଲ କରିଥିଲେ। ୨୮୮ ସଦସ୍ୟ ଥିବା ବିଧାନସଭାରେ ୧୬୪ ବିଧାୟକଙ୍କ ସମର୍ଥନ ମିଳିଥିଲା ।

Related Posts