ଚୀନ୍‌ କମ୍ପାନୀ ସହ ୫୦ କୋଟିର ଚୁକ୍ତି କଲେ ପି. ଭି ସିନ୍ଧୁ

ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ଚୀନ୍‌ର ଏକ କମ୍ପାନୀ ସହ କରିଛନ୍ତି 50 କୋଟି ଟଙ୍କାର ଚୁକ୍ତି । ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିଅନସି୍‌ପରେ ରୌପ୍ୟ ବିଜେତା ପି.ଭି ସିନ୍ଧୁ ଆଗାମୀ ୪ ବର୍ଷ ପାଇଁ ଚୀନ୍‌ର ଖେଳ କମ୍ପାନୀ ଲି ନିଙ୍ଗ ସହ ୫୦ କୋଟିର ଚୁକ୍ତି କରିଛନ୍ତି । ୪ ବର୍ଷ ଯାଏଁ ସିନ୍ଧୁ କମ୍ପାନୀର ପ୍ରଚାର କରିବେ । ଏଥିପାଇଁ ଶୁକ୍ରବାର ଏହି କମ୍ପାନୀ ଚୁକ୍ତି ଚୂଡ଼ାନ୍ତ କରିଛି ।

ଗତ ମାସରେ ଲି ନିଙ୍ଗ କମ୍ପାନୀ ଅନ୍ୟତମ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତଙ୍କ ସହ ୪ ବର୍ଷ ପାଇଁ ୩୫ କୋଟି ଟଙ୍କାର ଡିଲ୍‌ କରିଥିଲା । ଏବେ ସିନ୍ଧୁଙ୍କ ପାଇଁ ରେକର୍ଡ ବ୍ରେକିଂ ୫୦ କୋଟିର ଡିଲ୍‌ କରିଛି କମ୍ପାନୀ ।

‘ଲି ନିଙ୍ଗ’ର ଭାରତୀୟ ପାର୍ଟନର ସନ୍‌ଲାଇଟ୍‌ ସ୍ପୋର୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ମହେନ୍ଦ୍ର କପୁର କହିଛନ୍ତି, “ ବ୍ୟାଡମିଣ୍ଟନ୍‌ରେ ଏଭଳି ରେକର୍ଡ ବ୍ରେକିଂ ଡିଲ୍‌ ପ୍ରଥମ ଥର ହୋଇଛି । ସିନ୍ଧୁଙ୍କୁ ପ୍ରାୟୋଜକ କମ୍ପାନୀ ପକ୍ଷରୁ ୪୦ କୋଟି ମିଳିବ । ବାକି ୧୦ କୋଟି ଇକ୍ୟୁପମେଣ୍ଟ ବା ଖେଳିବା ପାଇଁ ବ୍ୟବହୃତ ହେଉଥିବା କିଟ୍‌ ପାଇଁ ଖର୍ଚ୍ଚ କରାଯିବ ।”

୨୦୧୭ରେ ଇଣ୍ଟରନ୍ୟାସନାଲ୍‌ ସ୍ପୋର୍ଟସ୍‌ ବ୍ରାଣ୍ଡ ପୁମା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ସହ ୧୦୦ କୋଟିର ଡିଲ କରିଥିଲା । ଏହି ଡିଲ୍‌ ୮ ବର୍ଷ ପାଇଁ ହୋଇଛି । ଅର୍ଥାତ ବର୍ଷକୁ କମ୍ପାନୀ କୋହଲିଙ୍କୁ ୧୨.୫ କୋଟି ଟଙ୍କାର ଫି’ ଦେବ ।

Related Posts