ବାସ୍ତବ ନିୟନ୍ତ୍ରଣ ରେଖାରୁ ସୈନ୍ୟ ଅପସାରଣ ନିମନ୍ତେ, ଭାରତ ଓ ଚୀନ୍ ସେନା ମଧ୍ୟରେ ଆରମ୍ଭ ହେଲା ଷୋଡ଼ଶ ପର୍ଯ୍ୟାୟ ଆଲୋଚନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଚୁସ୍‌ହୁଲ୍‌-ମୋଲ୍‌ଦୋ ସୀମାନ୍ତବର୍ତ୍ତୀ ଭାରତୀୟ ପାର୍ଶ୍ବରେ ଭାରତ ଓ ଚୀନ୍ ମଧ୍ୟରେ କର୍ପସ୍‌ କମାଣ୍ଡର୍‌ସ୍ତରୀୟ ଆଲୋଚନାର ୧୬ଶ ପର୍ଯ୍ୟାୟ ଆରମ୍ଭ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାରୁ ସୈନ୍ୟ ଅପସାରଣ ନିମନ୍ତେ ପ୍ରାୟ ୪ ମାସର ବ୍ୟବଧାନ ପରେ ଆଜି ପୁଣି ଆଲୋଚନା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ନିଜର ପରିଚୟ ଗୁପ୍ତ ରଖି ଜଣେ ସରକାରୀ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଥିବା ‘ଫ୍ରିକ୍‌ସନ୍‌ ପଏଣ୍ଟ୍‌’ରୁ ଅଧିକ ସୈନ୍ୟ ଅପସାରଣ ନିମନ୍ତେ ଉଭୟ ପକ୍ଷ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସମସ୍ୟାର ସମାଧାନ ନିମନ୍ତେ ପରସ୍ପରଙ୍କର ଗ୍ରହଣୀୟ ହେବା ପରି ଉପାୟ ପାଇବା ଲାଗି ଆଲୋଚନା ହିଁ ଏକମାତ୍ର ପନ୍ଥା ବୋଲି ସେ କହିଛନ୍ତି।ଗଲ୍‌ୱାନ୍‌ ଉପତ୍ୟକା, ପାଙ୍ଗୋଙ୍ଗ୍‌ ସୋ, ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ସ୍‌ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ହୋଇଥିଲେ ମଧ୍ୟ ଉଭୟ ଦେଶ ପ୍ରାୟ ୬୦.୦୦୦ ସୈନିକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଲଦାଖ ଥିଏଟର୍‌ରେ ମୁତୟନ କରି ରଖିଛନ୍ତି।

ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଦୁଇ ପକ୍ଷ ସୈନ୍ୟଙ୍କ ସ୍ଥିତାବସ୍ଥାରେ କିଛି ପରିବର୍ତ୍ତନ ଘଟିଥିବାରୁ ଏହି ଷୋଡ଼ଶ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବାରେ ବିଳମ୍ବ ହୋଇଛି।ଏହି ଆଲୋଚନାରେ ଭାରତ ‘ନୋ-ଫ୍ଲାଇଙ୍ଗ ଜୋନ୍‌’ ଓ ‘ଫ୍ରିକ୍‌ସନ୍‌ ପଏଣ୍ଟ୍‌’ ମଧ୍ୟକୁ ଚୀନର ଜେ-୧୦ ଲଢୁଆ ଜେଟ୍‌ ପ୍ରବେଶ କରିବା ପ୍ରସଙ୍ଗ ମଧ୍ୟ ଉଠାଇ ପାରେ ବୋଲି ସୂଚନା ମିଳିଛି।

Related Posts