ଧିରେ କା ଝଟକା ଜୋରସେ ଲଗା, ଯୋଗୀ କ୍ୟାବିନେଟର ତୃତୀୟ ମନ୍ତ୍ରୀ ଧରମ ସିଂହଙ୍କ ଇସ୍ତଫା, ବାଟ ପାଉନି ବିଜେପି

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଜେପିର ଚିନ୍ତା ବଢ଼ିବାରେ ଲାଗିଛି । ନିର୍ବାଚନ ପାଖେଇ ଆସୁଥିବାବେଳେ ଜଣେ ପରେ ଜଣେ ନେତା ଇସ୍ତଫା ଦେବାରେ ଲାଗିଛନ୍ତି । ଏପରିକି ୟୁପି ଯୋଗୀ ସରକାରରେ ପଛୁଆ ସମାଜରୁ ଆସୁଥିବା ମନ୍ତ୍ରୀଙ୍କ ଇସ୍ତଫା ପ୍ରକ୍ରିୟା ଚାଲିଛି କହିଲେ କିଛି ଭୁଲ ହେବ ନାହିଁ । ଏହା ମଧ୍ୟରେ ଆଉ ଜଣେ ବିଧାୟକ ଦଳ ଛାଡ଼ିଥିବାର କଥା ସାମ୍ନାକୁ ଆସିଛି । ମନ୍ତ୍ରୀ ପଦରୁ ବରିଷ୍ଠ ପଛୁଆ ବର୍ଗର ନେତା ଧର୍ମ ସିଂହ ସାଇନି ଇସ୍ତଫା ଦେଇଛନ୍ତି। ପୂର୍ବରୁ ଧର୍ମ ସିଂହ ବିଜେପି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେ ଏହି ଖବରକୁ ଖଣ୍ଡନ କରିଥିଲେ। ଧର୍ମ ସିଂହଙ୍କୁ ମିଶାଇ ଯୋଗୀଙ୍କ ହାତ ଛାଡ଼ିଥିବା ନେତାଙ୍କ ସଂଖ୍ୟା ୮ରେ ପହଞ୍ଚିଛି।

ଏମାନଙ୍କ ମଧ୍ୟରେ ୩ ଜଣ ମନ୍ତ୍ରୀ ଓ ୫ ଜଣ ବିଧାୟକ ରହିଛନ୍ତି। ଏମାନେ ସମସ୍ତେ ନିର୍ବାଚନ ପୂର୍ବରୁ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ମିଶିବେ ବୋଲି କୁହାଯାଉଛି।୨୪ ଘଣ୍ଟା ତଳେ ୪ଥରର ବିଧାୟକ ତଥା ଓବିସି ନେତା ଧର୍ମ ସିଂହ ସାଇନି ବିଜେପି ଛାଡ଼ିବେ ବୋଲି ଯେଉଁ ଖବର ପ୍ରକାଶ ପାଇଥିଲା, ତା’କୁ ସେ ଦୃଢ଼ ଭାବେ ଖଣ୍ଡନ କରିଥିଲେ।ଏଥିସହ ନିକଟରେ ମନ୍ତ୍ରୀ ପଦ ଛାଡ଼ି ସମାଜବାଦୀ ପାର୍ଟିରେ ମିଶିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ। ମନ୍ତ୍ରୀ ପଦ ଛାଡ଼ିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କୁ ଫୋନ କରିଥିଲେ। ଏହି ସମୟରେ ଯୋଗୀ ତାଙ୍କୁ ଏପରି ପଦକ୍ଷେପ ନ ନେବାକୁ କହିଥିଲେ। ହେଲେ ଆଜି ସେ ମନ୍ତ୍ରୀ ପଦ ଛାଡ଼ି ସମସ୍ତଙ୍କୁ ଚକିତ କରିଛନ୍ତି।

Related Posts