
ଚେନ୍ନାଇ: ତାମିଲନାଡୁର କାଞ୍ଚିପୁରମ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ନିଜ ବାସଭବନରେ ଜଣେ ଜାତୀୟସ୍ତରର ମହିଳା କାବଡି ଖେଳାଳି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା କବାଡି ଖେଳାଳି ଜଣଙ୍କ ହେଉଛନ୍ତି ଭାନୁମତୀ।
ମାନାଗାଡ଼ୁ ଠାରେ ଥିବା ଘର ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ ହସ୍ପିଟାଲକୁ ନିଆଯାଇ ଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୨୫ ବର୍ଷୀୟ ଭାନୁମତୀଙ୍କ ବାପା ଧର୍ମରାଜ ଜଣେ ପରିବା ବିକାଳୀ।
ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲା। ପରେ ଭାନୁମତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅଧିକ ତଦନ୍ତ ପାଇଁ ପୁଲିସ୍ ତାଙ୍କ ଫୋନକୁ ଜବତ କରିଛି। ଭାନୁମତୀ ରାଜ୍ୟ ଓ ଜାତୀୟ ସ୍ତରରେ କବାଡି ଖେଳନ୍ତି।
ତେବେ ସେ ଚାକିରି ପାଉ ନଥିବାରୁ କିଛି ଦିନ ହେଲା ବେଶ ଚାପରେ ରହୁଥିଲେ। ସମ୍ଭବତଃ ଏହି କାରଣ ପାଇଁ ଭାନୁମତୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେହିପରି ଆତ୍ମହତ୍ୟା ପଛରେ ଆଉ କୌଣସି କାରଣ ରହିଛି କି ନାହିଁ, ତା’ର ତଦନ୍ତ ମଧ୍ୟ ପୁଲିସ୍ କରୁଛି। ଭାନୁମତୀଙ୍କ ରୁମରୁ କୌଣସି ସୁଇସାଇଡ ନୋଟ ମିଳିନି। ପୋଲିସ ପରିବାର ଓ ସାଙ୍ଗସାଥୀ ମାନଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି ।