ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ସୋନିଆ ଗାନ୍ଧୀ, ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନେସନାଲ ହାରାଲ୍ଡ ମାମଲାରେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ସମନ କରିଥିଲା। ଏହାପରେ ଆଜି ସୋନିଆ ଗାନ୍ଧୀ ଇଡି କାର୍ଯ୍ୟାଳୟରେ ହଜାର ହୋଇଛନ୍ତି। ଏହା ପୂର୍ବରୁ ଏହି ମାମଲାରେ କଂଗ୍ରେସର ପୂର୍ବତନ ଅଧକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଇଡି ଜେରା କରି ସାରିଛି।

ତେବେ ଏହି ଜେରାର ପରିବାଦ କରି କଂଗ୍ରେସ ଦଳ ସମଗ୍ର ଦେଶବ୍ୟାପୀ ଆଜି ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହି ଘଟଣାକୁ ନେଇ କଂଗ୍ରେସ ମୁଖ୍ୟାଳୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ” ରାଜନୀତିରେ କୌଣସି ଶତ୍ରୁ ନଥାନ୍ତି। କିନ୍ତୁ ବର୍ତ୍ତମାନର ସରକାର ବିରୋଧୀଙ୍କୁ ଶତ୍ରୁ ଭାବରେ ଦେଖୁଛନ୍ତି। ପ୍ରଧାନମନ୍ତ୍ରୀ ପୂର୍ବରୁ କଂଗ୍ରେସ-ମୁକ୍ତ ଭାରତ ବିଷୟରେ କହୁଥିଲେ। ମାତ୍ର ବର୍ତ୍ତମାନ ସେମାନଙ୍କର ମନ୍ତ୍ର ହେଉଛି ବିରୋଧୀ-ମୁକ୍ତ ଭାରତ। ତେଣୁ ଦେଶରେ ସେମାନେ ଏକଛତ୍ରବାଦୀ ଶାସନ ଚଳାଇଛନ୍ତି”।

ସେହିପରି ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ଏହି ଘଟଣାରେ ଏକତ୍ରିତ ହୋଇଛନ୍ତି। ଏହି ଘଟଣାରେ କଂଗ୍ରେସ, ଟିଆରଏସ, ସିପିଆଇ, ଆରଜେଡି, ଡିଏମକେ ଭଳି ବିରୋଧୀ ଦଳମାନେ ମିଳିତ ବୈଠକ କରି ଏହି ଘଟଣାକୁ ନିନ୍ଦା କରିବା ସହ ବିରୋଧୀଙ୍କ ପ୍ରତି ଏହା ସରକାରଙ୍କ ପ୍ରତିଶୋଧ ବୋଲି କହିଛନ୍ତି। ଏହା ସହ ସଂସଦର ଗୃହରେ ଏହି ପ୍ରସଙ୍ଗ ଉଠାଇ ମିଳିତ ପ୍ରତିବାଦ କରିବାକୁ ସ୍ଥିର କରିଛନ୍ତି।

Related Posts