ଅସନ୍ତୁଷ୍ଟ ଗୁଲାମ ନବି ଆଜାଦଙ୍କୁ ମନେଇବା ପାଇଁ ଫୋନରେ କଥା ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସକୁ ଏବେ ଆଉ ଏକ ଚିନ୍ତା ଘରିଲାନି । ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା ପରେ ଦଳରେ ଦେଖା ଦେଲାଣି କନ୍ଦଳ । କଂଗ୍ରେସ ପାର୍ଟିରେ ଆଭ୍ୟନ୍ତରୀଣ କଳହ ଆରମ୍ଭ ହୋଇ ଯାଇଛି। ଅନେକ ବରିଷ୍ଠ ନେତାଙ୍କ ମତରେ ପାର୍ଟି ଅନୁଭବ ଏବଂ ସମର୍ପଣ ଭାବକୁ ବିଶ୍ଵାସ ନକରି ବାହାର ଲୋକଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷିତ କରିଛି।

ଏହା ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗୁଲାମ ନବି ଆଜାଦଙ୍କ ସହ ଫୋନରେ କଥା ହୋଇଛନ୍ତି। ହେଲେ ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହୋଇଛି ତାହା ସାର୍ବଜନୀନ କରାଯାଇ ନାହିଁ। ରବିବାର ଦୁଇ ନେତାଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା କରିଥିବା ଦଳୀୟ ସୂତ୍ରରୁ ପ୍ରକାଶ। ପାର୍ଟିର ଏହି ପଦକ୍ଷେପରୁ ଏହା ସ୍ପଷ୍ଟ ହୋଇଛି ଯେ, ସୋନିଆ ଅସନ୍ତୁଷ୍ଟଙ୍କୁ ମନାଇବାକୁ କୌଣସି ହେଳା କରୁ ନାହାନ୍ତି।

ପାର୍ଟିର ବରିଷ୍ଠ ନେତା ତଥା ଜି-୨୩ରୁ ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କୁ ମଧ୍ୟ ରାଜ୍ୟସଭାର ଟିକେଟ୍ ଦିଆଯାଇ ନାହିଁ। ସେ ବିଜେପିରେ ଯୋଗ ଦେବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ହେଲେ ଏମିତି ଚର୍ଚ୍ଚାକୁ ଖଣ୍ଡନ କରି ଶର୍ମା କହିଛନ୍ତି ଏହା କେବଳ ରାଜନୈତିକ ଗୁଜବ। ସେ ଦଳ ପରିବର୍ତ୍ତନ କରୁ ନାହାନ୍ତି।

ଛତିଶଗଡ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ କଥିତ ଭାବେ ବାହାର ବ୍ୟକ୍ତିଙ୍କୁ ଟିକେଟ୍ ଦେବା ମାମଲାରେ ନେତାଙ୍କ ମଧ୍ୟରେ ଅସନ୍ତୋଷ ସ୍ପଷ୍ଟ ବାରି ହୋଇ ପଡୁଛି। ଅନେକ ଲୋକ ସାମ୍ନାକୁ ଆସି ନିଜ ମତ ରଖୁଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ପାର୍ଟିର ପସନ୍ଦର ପ୍ରାର୍ଥୀଙ୍କ ବିରୋଧରେ ମୁହଁ ଖୋଲି ନାହାନ୍ତି। ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ଗୁଲାମ ନବି ଆଜାଦ, ଆନନ୍ଦ ଶର୍ମା ଏବଂ ବୀରପ୍ପା ମୋଇଲ୍ଲୀଙ୍କ ପରି ନେତାଙ୍କ ନାମ ନାହିଁ। ଏହି ତିନି ନେତା ଆଶା କରୁଥିଲେ ଯେ, ସେମାନଙ୍କୁ ରାଜ୍ୟସଭା ପଠାଯିବ।

Related Posts