ଷ୍ଟାଡିୟମ୍‌ର ଶୌଚାଳୟରେ ଖେଳାଳିଙ୍କୁ ପରସାଗଲା ଖାଦ୍ୟ, କ୍ରୀଡା ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଷ୍ଟାଡିୟମ୍‌ର ଶୌଚାଳୟ ଭିତରେ ଖେଳାଳିଙ୍କୁ ପରସାଗଲା ଖାଦ୍ୟ। ଉତ୍ତରପ୍ରଦେଶର ସାହାରନପୁରର ଡକ୍ଟର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ ଶୌଚାଳୟ ଭିତରେ ଖାଦ୍ୟ ଖାଇବାକୁ କବାଡି ଖେଳାଳିଙ୍କୁ ବାଧ୍ୟ କରାଯାଇଛି। ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ ହେବା ପରେ କ୍ରୀଡା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।ଏଥିସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବା ପାଇଁ ଜିଲ୍ଲା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ଏହି ଭିଡିଓଟି ତିନି ଦିନ ପୂର୍ବର। ସାହାରନପୁରର ଡକ୍ଟର ଭୀମରାଓ ଷ୍ଟାଡିୟମରେ ସବ୍ ଜୁନିଅର (ବାଳିକା) କବାଡି ପ୍ରତିଯୋଗିତାର ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତିନି ଦିନ ଧରି ଚାଲିଥିବା ଅଣ୍ଡର-୧୭ ରାଜ୍ୟ ସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟରେ ୧୭ଟି ଟିମ୍‌ରୁ ୩୦୦ରୁ ଅଧିକ ଖେଳାଳି ଭାଗ ନେଇଥିଲେ। ତେବେ ଏହି ଖେଳାଳିମାନଙ୍କ ପାଇଁ ଶୌଚାଳୟ ଭିତରେ ଖାଦ୍ୟ ରୋଷେଇ କରାଯାଇଥିଲା। କେବଳ ସେତିକି ନୁହେଁ ଶୌଚାଳୟ ଭିତରେ ହିଁ ଏମାନଙ୍କୁ ଖାଇବା ପାଇଁ ବାଧ୍ୟ କରାଯାଇଥିଲା।

ଖେଳାଳିମାନଙ୍କୁ ଦିଆଯାଇଥିବା ଖାଦ୍ୟର ଗୁଣବତ୍ତା ମଧ୍ୟ ଭଲ ନଥିଲା। ଡାଲି, ପନିପରିବା, ଚାଉଳ ଆଦି କଞ୍ଚା ଥିଲା। ଏହି ଘଟଣା ଭିଡିଓ ଭାଇରାଲ ହେବା ପରେ ଚାରିଆଡେ ଏହାକୁ ନେଇ ତୀବ୍ର ବିରୋଧ କରାଯାଇଛି। ଏହି ଘଟଣା ଏବେ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଛି। ଏହାର ତଦନ୍ତ ପାଇଁ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି।

ସେପଟେ ନିଲମ୍ବିତ ହୋଇଥିବା କ୍ରୀଡା ଅଧିକାରୀ ଅନିମେସ ସକ୍‌ସେନା ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଷ୍ଟାଡିୟମରେ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି କାରଣରୁ ଏଠାରେ କୌଣସି ସ୍ଥାନ ନଥିଲା । ଖୋଲା ସ୍ଥାନରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା । ବର୍ଷା ହେତୁ ଖାଦ୍ୟ ଶୌଚାଳୟରେ ରଖାଯାଇଥିଲା । ଚାଉଳ ମଧ୍ୟ ଭଲ ନଥିଲା । ଫେରାଇ ଦିଆଯାଇଥିଲା । ପରେ ଚାଉଳ କିଣାଯାଇ ରନ୍ଧାଯାଇଥିଲା । ଯେଉଁଥିରେ ବିଳମ୍ୱ ହୋଇଥିଲା । ଫଳରେ ଭାତ ଟିକିଏ କଞ୍ଚା ରହିଥିଲା।ସେପଟେ ଏହି ଘଟଣାର ଯାଞ୍ଚ ପାଇଁ ଜିଲ୍ଲାଅଧିକାରୀ ସାହାରନପୁର ଅଖିଲେଶ ସିଂହ, ଏଡିଏମ ଫାଇନାନ୍ସ ଏବଂ ରେଭିନ୍ୟୁ ରଜନୀଶ କୁମାର ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କହିଛନ୍ତି।

Related Posts