ମରିଗଲା ମମତା:ମାସକର ଛୁଆକୁ ରାତିରେ ମନ୍ଦିର ପାହାଚରେ ଛାଡ଼ିଦେଇଗଲେ ବାପା-ମା’

ରାତିର ଅନ୍ଧକାରରେ କେହି ଯେମିତି ଦେଖି ନ ପାରିବେ ବାପା-ମା’ ମାସକର ଶିଶୁକନ୍ୟାକୁ ବ୍ୟାଗ୍‌ରେ ଭର୍ତ୍ତି କରି ମନ୍ଦିର ପାହାଚ ଉପରେ ଛାଡ଼ି ଦେଇଗଲେ ବାପା-ମା । ସିସିଟିଭିରେ କଏଦ୍‌ ଏ ଦୃଶ୍ୟ ଯିଏ ଦେଖିଲା ସେ କହିଲା ହେ ରାମ !

ବାପା ମା’ ପିଲାକୁ କେବଳ ଜନ୍ମ ଦିଅନ୍ତି ତାହା ନୁହେଁ, ପିଲାର ଭଲ ମନ୍ଦ ପାଇଁ ସବୁ ତ୍ୟାଗ କରନ୍ତି, କିନ୍ତୁ ଯେଉଁ ବାପା ମା’ ମାତ୍ର ମାସକର ଛୁଆକୁ ମନ୍ଦିର ପାହାଚରେ ପକାଇ ଦେଇ ଆସିବେ ସେମାନଙ୍କୁ କ’ଣ କୁହାଯିବ । ମଧ୍ୟପ୍ରଦେଶ ଓରଛାର ଏହି ଘଟଣା ଏବେ ସୃଷ୍ଟି କରିଛି ଚାଞ୍ଚଲ୍ୟ ।

ମା’ ବାପା କେତେ ପଥର ହୃଦୟର ହୋଇପାରନ୍ତି ତାର ପ୍ରମାଣ ହେଉଛି ଏ ଘଟଣା । ବାପା-ମା’ ଦୁଇ ଜଣ ସେହି କାମ କଲେ, ଯାହା କରିବା ପୂର୍ବରୁ ଯେ କୌଣସି ବାପା-ମା’ଙ୍କର ଛାତି ଥରି ଉଠିବ । ଫୁଲ ଭଳି ଶିଶୁ କନ୍ୟାକୁ ଛାଡ଼ି ଦେଇ ଚାଲିଗଲେ ବାପା ମା’ ।
ପରଦିନ ସକାଳେ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁ ଯେତେବେଳେ ପାହାଚ ଉପରେ ଥିବା ଗୋଟିଏ ବ୍ୟାଗ୍‌ ଭିତରୁ କାନ୍ଦଣା ଶବ୍ଦ ଶୁଣିଲେ । ସେତେବେଳେ ପୁରା ଘଟଣାକ୍ରମ ବାବଦରେ ଜଣା ପଡ଼ିଲା ।

ବ୍ୟାଗ୍‌ରେ ଥିଲା ଗୋଟିଏ ଶିଶୁ କନ୍ୟା । ତା ପରେ ସିସିଟିଭି ଫୁଟେଜ୍‌ ଦେଖାଗଲା ତ ଲୋକଙ୍କର ଛାତି ଥରି ଉଠିଲା । ଯେଉଁଥିରେ ଦେଖାଗଲା ଭୋର ସମୟରେ ଅନ୍ଧକାର ଥିବା ବେଳେ ଜଣେ ଯୁବକ ଆଉ ଜଣେ ଯୁବତୀଙ୍କ ସହ ମନ୍ଦିରକୁ ଆସିଲେ । ଯୁବକ ଜଣକ ଗୋଟିଏ ଶାଲ୍‌ ଘୋଡ଼େଇ ହୋଇଥିଲେ । ତା ଭିତରେ ଲୁଚାଇଥିଲେ ଏକ ବ୍ୟାଗ୍‌ । ମନ୍ଦିରର ପାହାଚ ନିକଟରେ ପହଞ୍ଚିବା ପରେ ଯୁବକ ବ୍ୟାଗ୍‌ ବାହାର କରି ସେଠାରେ ବସିଗଲେ । ଚାରିପଟକୁ ଦେଖିବା ପରେ ଯୁବକ ବ୍ୟାଗ୍‌ ଉଠାଇ କଡ଼କୁ ନେଇଗଲେ । ଏହାପରେ ଉଭୟ ବ୍ୟାଗ୍‌ ଛାଡ଼ି ସେଠୁ ଖାଲି ହାତରେ ପଳାଇଲେ । ଶିଶୁ କନ୍ୟାଟି ସହ ଏକ କ୍ଷୀର ବୋତଲ ବି ମିଳିଲା ।

ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସ୍‌ ସନ୍ଦେହ କରୁଛି ଯେ ଶିଶୁ କନ୍ୟାଟିକୁ ଛାଡ଼ିଥିବା ଯୁବକ ଯୁବତୀ ସ୍ବାମୀ- ସ୍ତ୍ରୀ । ସେମାନେ ପିଲାଟିକୁ କମ୍ବଳରେ ଗୋଡ଼େଇଥିଲେ । କ୍ଷୀର ବୋତଲ ବି ରଖିଥିଲେ । ଅନୁମାନ କରାଯାଇପାରେ ସେମାନେ ଭଲ ପରିବାରର । ପିଲାଟି ଏବେ ସୁସ୍ଥ ଅଛି । ଏମିତି ବାପା ମାଙ୍କ ଠାବ କରିବାକୁ ପୋଲିସ୍‌ ଚଳାଇଛି ଅଭିଯାନ ।

Related Posts