ଆସୁଛି ବାତ୍ୟା: ୨୪ ଓ ୨୫ରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର : ଆସୁଛି ବାତ୍ୟା । ସମ୍ଭାବ୍ୟ ବାତ୍ୟା ଆଶଂକା ନେଇ ଆଇଏମଡି ସୂଚନା ଜାରି କରିଛି । ସେପଟେ ରାଜ୍ୟ ସରକାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶନର ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ, ଜଳ ସମ୍ପଦ, ପଞ୍ଚାୟତିରାଜ, ନଗର ଉନ୍ନୟନ, ଶକ୍ତି, ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି । ବାତ୍ୟା ସମ୍ଭାବନା ଥିବାରୁ ସଂପୃକ୍ତ ପଦାଧିକାରୀମାନେ ହେଡ୍‌ କ୍ୱାର୍ଟର ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସ୍ଥିତି ଉପରେ ନଜର ରଖିବା ସହ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବାତ୍ୟା ହେଲେ ଏହାର ନାଁ ରହିବ ସି-ତ୍ରଙ୍ଗ । ଏହା ଥାଇଲାଣ୍ଡର ନାମକରଣ । ଆନ୍ତର୍ଜାତିକ ପାଣିପାଗ ମଡେଲ୍‌ ଇସିଏମଡବ୍ଲ୍ୟୁଏଫର ତାଜା ଆକଳନ ହେଲା, ସମ୍ଭାବ୍ୟ ବାତ୍ୟା ୨୫ ତାରିଖ ସକାଳବେଳକୁ ଓଡ଼ିଶା ଉପକୂଳ ପାଖରେ ଥିବ ।

୨୫ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଉତ୍ତର ଓଡ଼ିଶା ଉପକୂଳରେ ବାଲେଶ୍ୱର ପାଖାପାଖି ସ୍ଥଳଭାଗ ଛୁଇଁପାରେ । ୱିଣ୍ଡି ଡଟକମ୍‌ରେ ଜିଏଫଏସ୍‌ ମଡେଲ୍‌ ପୂର୍ବାନୁମାନ ଚିତ୍ର ଦର୍ଶାଉଛି, ସମ୍ଭାବ୍ୟ ବାତ୍ୟା ୨୪ ତାରିଖ ରାତିରେ ପଶ୍ଚିମବଙ୍ଗ ସଂଲଗ୍ନ ବାଂଲାଦେଶ ଉପକୂଳରେ ମାଡ଼ ହେବା ସମ୍ଭାବନା ଅଛି । ଟପ୍ରିକାଲ ଟିଟବିଟ୍ସର ଜିଏଫଏସ୍‌ ମଡେଲ୍‌ ଆକଳନ ମଧ୍ୟ ବାଂଲାଦେଶକୁ ବାତ୍ୟା ମୁହାଁଇବା ସମ୍ଭାବନା ଦେଖାଉଛି । ନାଭ୍‌ଜେମ ମଡେଲ ଅନୁସାରେ ୨୪ ତାରିଖରେ ଓଡ଼ିଶା ଉପକୂଳରେ ବାତ୍ୟା ସ୍ଥଳଭାଗକୁ ପ୍ରବେଶ କରିପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ସମ୍ଭାବ୍ୟ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।

ଏହା ଆନ୍ଧ୍ର, ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ । ତେବେ ଓଡ଼ିଶା ଉପକୂଳକୁ ଆସିବା ସମ୍ଭାବନା ଅଧିକ ରହିଛି । ଯଦି ଓଡ଼ିଶା ଆସିବନି, ତେବେ ଏହା ଓଡ଼ିଶା ଉପକୂଳରେ ଘଷି ହୋଇ ପଶ୍ଚିମବଙ୍ଗକୁ ଯିବ । ଆସନ୍ତା ୨୫ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ବାତ୍ୟା ପ୍ରଭାବରେ ୨୪ ଓ ୨୫ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୪ ଅପରାହ୍ନ କିମ୍ବା ରାତିରୁ ବର୍ଷା ବଢ଼ିବ । ଏହି ବାତ୍ୟା ପ୍ରକୋପରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ପବନ ହୋଇପାରେ । ଏସବୁ କେବଳ ପ୍ରାକ୍‌ ଆକଳନ । ୨୨ ତାରିଖବେଳକୁ ଚିତ୍ର ସ୍ପଷ୍ଟ ହେବ । ସେତେବେଳେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ । ଆଇଏମ୍‌ଡି କହିଛି, ଆସନ୍ତା ୪୮ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଯିବ । ବର୍ତ୍ତମାନ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୪୮ ଘଣ୍ଟା ଭିତରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ।

ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୨ ତାରିଖବେଳକୁ ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଅଛି । ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କିନ୍ତୁ, ୨୩ରୁ ବର୍ଷା ବଢ଼ିପାରେ । ୨୨ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ଆଇଏମଡିର ଜିଏଫଏସ ମଡେଲ୍‌ର ସମ୍ଭାବ୍ୟ ଚିତ୍ର ଦର୍ଶାଉଛି, ବାତ୍ୟା ଆନ୍ଧ୍ର ଉପକୂଳ (କାକିନାଡାରୁ ବିଶାଖାପାଟଣା) ଛୁଇଁପାରେ । ମାତ୍ର ଏ ନେଇ ଆଇଏମଡି ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ

Related Posts