‘ନିଟ୍‌’ ପରୀକ୍ଷା ବେଳେ ଅନ୍ତବସ୍ତ୍ର ଓହ୍ଲାଇବାକୁ ବାଧ୍ୟ କରାଯାଇଥିବା ଛାତ୍ରୀ ମାନଙ୍କ ପାଇଁ ଆଉଥରେ ହେବ ପରୀକ୍ଷା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମେଡିକାଲ୍‌ ପ୍ରବେଶିକ ପରୀକ୍ଷା ଦେବା ପୂର୍ବରୁ ଯାଞ୍ଚ ବେଳେ ଅନ୍ତବସ୍ତ୍ର ଓହ୍ଲାଇବାକୁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ କରିଥିବା ଛାତ୍ରୀମାନଙ୍କ ପାଇଁ ପୁଣି ଥରେ ‘ନିଟ୍‌’ ପରୀକ୍ଷା କରାଇବା ଲାଗି ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍ସୀ’ (ଏନ୍‌ଟିଏ) ଘୋଷଣା କରିଛି। ସେପ୍ଟେମ୍ବର ୪ ତାରିଖ ଦିନ ଏହି ଛାତ୍ରୀମାନେ ପରୀକ୍ଷା ଦେଇପାରିବେ ବୋଲି ସୁନିଶ୍ଚତ କରି ‘ଏନ୍‌ଟିଏ’ ସେମାନଙ୍କ ପାଖକୁ ଇ-ମେଲ୍‌ ପଠାଇଛି।

ସୂଚନାଯୋଗ୍ୟ ଯେ, କେରଳର କୋଲାମ୍‌ ଜିଲ୍ଲାସ୍ଥିତ ‘ନିଟ୍‌’ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ନିଜ ନିଜର ଆନ୍ତବସ୍ତ୍ର ନ ଓହ୍ଲାଇଲେ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି କୁହା ଯାଇଥିଲା। ଏନେଇ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରତିବାଦ ପ୍ରବଳ ହୋଇଥିଲା।

ଜୁଲାଇ ମାସରେ ଜଣେ ବ୍ୟକ୍ତି କୋଟ୍ଟାରକାରା ଥାନାରେ ଦାଏର କରିଥିବା ଅଭିଯୋଗରେ କହିଥିଲେ ଯେ, ଚତମଙ୍ଗଳମ୍‌ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ଆଗରୁ ତାଙ୍କ ଝିଅ ସମେତ ମହିଳା ‘ନିଟ୍‌’ ଆଶାୟୀମାନଙ୍କୁ ପରିଧାନ କରିଥିବା ଅନ୍ତବସ୍ତ୍ର ଓହ୍ଲାଇ ପକାଇବାକୁ କୁହାଯାଇଥିଲା। ଏହି ଘଟଣା ଯୋଗୁଁ ଉତ୍ତେଜନା ଓ ପ୍ରତିବାଦ ବ୍ୟାପକ ହେବାରୁ ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ଲାଗି ମାନବ ଅଧିକାର କମିସନ କୋଲାମ ଗ୍ରାମାଞ୍ଚଳ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ନିର୍ଦେଶ ଦେଇଥିଲେ। ‘ଏନ୍‌ଟିଏ’ ମଧ୍ୟ ଅଭିଯୋଗ ହେଉଥିବା ଘଟଣାର ତଦନ୍ତ ନିମନ୍ତେ ୩ଜଣିଆ ସଦସ୍ୟବିଶିଷ୍ଟ କମିଟି ଗଠନ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବ୍ୟବସ୍ଥା କରିଥିଲା।

Related Posts