ସୁବ୍ରମଣ୍ୟମ ସ୍ଵାମୀଙ୍କ ବଡ ବୟାନ – ପିଏମ୍ଓ କାମକୁ ନୁହଁ, କୋଭିଡ ପରିଚାଳନା ଦାୟିତ୍ଵ ଗଡକରିଙ୍କୁ ଦିଆଯାଉ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ସାରା ଦେଶରେ କରୋନାର ଦ୍ବିତୀୟ ଲହର ତାଣ୍ଡବ ରଚୁଥିବା ବେଳେ କୋଭିଡ୍ ପରିଚାଳନାକୁ ନେଇ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ପିଏମ୍ଓ କୁ ଟାର୍ଗେଟ କରିଛନ୍ତି। ସେ କୋଭିଡ୍ ପରିଚାଳନା ଭାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉପରେ ନ୍ୟସ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି। ଫାୟାରବ୍ରାଣ୍ଡ ବିଜେପି ନେତା ଏକ ଟୁଇଟ୍‌ରେ କହିଛନ୍ତି, ” କରୋନାର ତୃତୀୟ ଲହର ପିଲା ମାନଙ୍କୁ ଅଧିକ ଆକ୍ରାନ୍ତ କରିପାରେ। ତେଣୁ, ସରକାର ‘ଏହି ଯୁଦ୍ଧ ପରିଚାଳନା ଭାର ଗଡ଼କରୀଙ୍କୁ ଦିଅନ୍ତୁ। ”

“ଇସଲାମିକ ଆକ୍ରମଣକାରୀ ଏବଂ ବ୍ରିଟିଶ ସାମ୍ରାଜ୍ୟବାଦରୁ ତିଷ୍ଠିବା ପରି ଭାରତ କରୋନା ମହାମାରୀ ଠାରୁ ମଧ୍ୟ ତିଷ୍ଠି ପାରିବ। କଠୋର ସତର୍କତା ଅବଲମ୍ବନ ନ କଲେ ପିଲାଙ୍କୁ ଆକ୍ରାନ୍ତ କରିବ । ତେଣୁ, ମୋଦୀ ଏହି ଯୁଦ୍ଧ ପରିଚାଳନା ଭାର ଗଡ଼କରୀଙ୍କୁ ଦେବା ଉଚିତ । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ(ପିଏମ୍ଓ) କାମକୁ ନୁହଁ। ଏହା ଉପରେ ନିର୍ଭର କରିବା ବୃଥା। ”

ସ୍ବାମୀ କହିଛନ୍ତି ଯେ ତାଙ୍କ ସମାଲୋଚନା PMO ପାଇଁ ହୋଇଛି, ଯାହା ହେଉଛି ଏକ ବିଭାଗ, ନିଜେ ପ୍ରଧାନମନ୍ତ୍ରୀ ନୁହଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,”ନା’ ନା’ ହର୍ଷ ବର୍ଦ୍ଧନଙ୍କୁ ଆଦୌ ଅବାଧ ସ୍ବାଧୀନତା ଦେବା କଥା ନୁହେଁ। ସେ ଅତ୍ୟନ୍ତ ଭଦ୍ର ହୋଇଥିବାରୁ କର୍ତ୍ତୃତ୍ବ ଜାହିର କରିପାରୁ ନାହାନ୍ତି। ଗଡ଼କରିଙ୍କୁ ସାମିଲ କରାଗଲେ ହର୍ଷ ଆହୁରି ସୁନାମ କରିବେ।

ଉଲ୍ଲେଖଯୋଗ୍ୟ, ସ୍ଵାମୀଙ୍କ ଟୁଇଟ୍ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଭିନ୍ନ ରାଜ୍ୟର ବିଭିନ୍ନ ସହରରେ ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ହସ୍ପିଟାଲରେ ବେଡ୍ ମିଳୁ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର  ତଥ୍ୟ ଅନୁଯାୟୀ ଭାରତ ଗତ 24 ଘଣ୍ଟା ମଧ୍ୟରେ 3.82 ଲକ୍ଷରୁ ଅଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବଂ 3,780 ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ବର୍ତ୍ତମାନ ମୋଟ କରୋନା କେସ୍ 2,06,65,148 ରହିଥିବା ବେଳେ 1,69,51,731 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି 2,26,188 ଆକ୍ଟିଭ କେସ୍ ରହିଛି। 

Related Posts