କାହା ପାଇଁ ଲଢ଼ିବ ବିଜେପି : ବିଜେଡି ପାଇଁ ନା ବିଜୟ ପାଇଁ

ସତ୍ୟପାଠ ବ୍ୟୁରୋ : ଓଡିଶା ବିଜେପିର ଚେହେରା ଖୋଲିଦେବ ପାଟକୁରା । ଓଡିଶା ବିଜେପିରେ କିଏ କାହା ପିଠିକୁ ଛୁରା ମାରୁଛି ତାହା ଜୁଲାଇ ୨୦ ନିର୍ବାଚନ ହିଁ ଦେଖାଇଦେବ । ବିଜୟ ମହାପାତ୍ରଙ୍କ ବିରୋଧୀ ଗୋଷ୍ଠୀ ଯେଉଁମାନେ ଅଛନ୍ତି ସେମାନଙ୍କ ଭୁମିକା ବି ଧରାପଡିବ । ଖାଲି ଉପରେ ଉପରେ ବିଜୟ ନା ବିଜୟଙ୍କ ପରାଜୟ ପାଇଁ ବାବୁ ମାନେ କାମ କରୁଛନ୍ତି ସବୁ ଜଣାପଡିବ ପାଟକୁରା ନିର୍ବାଚନରୁ ।

ଓଡିଶା ରାଜନୀତି ଉପରେ ସମ୍ୟକ ଧାରଣା ଥିବା ଲୋକ ବି ଜାଣିଛନ୍ତି, ବିଜୟ ମହାପାତ୍ରଙ୍କ ଓପନ ବିରୋଧୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମିଡିଆ କ୍ୟାମେରା ଆଗରେ ସିନା ବାବୁ ବିଜୟଙ୍କ ପିଠି ଥାପୁଡାନ୍ତି ହେଲେ ଭିତରେ କୁଆଡେ ତାଙ୍କ ଚେର କାଟନ୍ତି ବୋଲି ଚର୍ଚ୍ଚା ହୁଏ । ଖାସ ତାଙ୍କରି ପାଇଁ ବିଜୟ ମହାପାତ୍ରଙ୍କୁ ଦଳରେ କୋଣଠେସା କରାଯାଇଥିଲା ବୋଲି କୁହାଯାଏ । ଯଦି ବୈଜୟନ୍ତ କେନ୍ଦ୍ରାପଡାରୁ ସାଂସଦ ଭାବେ ଛିଡା ହୋଇ ନଥାନ୍ତେ ତେବେ ବିଜୟ ବି ବିଜେପିକୁ ଫେରିଥାନ୍ତେ କି ନାହିଁ ସନ୍ଦେହ ।

ଖାଲି ଧର୍ମେନ୍ଦ୍ର କାହିଁକି ରାଜ୍ୟ ବିଜେପିରେ ବିଜୟ ବିରୋଧୀଙ୍କ ସଂଖ୍ୟା କିଛି କମ୍ ନାହିଁ । କାହା ନାଁ ନଲେ ବି ଜାଣିବା ଲୋକ ଜାଣିଛନ୍ତି ବିଜୟଙ୍କୁ ପରାଜିତ କରିବାକୁ ଗୋଟିଏ ଗୋଷ୍ଠୀ କିଭଳି କାର୍ଯ୍ୟ କରୁଛି । ସିକ୍ରେଟ ଏଜେଣ୍ଡା ନେଇ ପାଟକୁରାରେ ଗୋଟି ଚଳାଉଥିବା ବିଜେପିର ଏକ ଗୋଷ୍ଠୀ ବି ଚାହାଁନ୍ତି ବିଜୟଙ୍କ ବିଜୟ ନହେଉ ।

ଆଉ ଏପଟେ, ବିଜୟଙ୍କ ପରାଜୟ ପାଇଁ ଯେ କୌଣସି ସ୍ତରକୁ ଯାଇପାରନ୍ତି ନବୀନ । ରାଜନୈତିକ ପ୍ରତିଦ୍ୱନ୍ଦିତା ବଦଳରେ ଏ ଲଢ଼େଇକୁ ଅନେକ ରାଜନୈତିକ ପ୍ରତିଶୋଧ ବି କୁହନ୍ତି । ଓଡିଶା ରାଜନୀତି ଜାଣିଛି, ନବୀନଙ୍କ କୋପଦୃଷ୍ଟିରେ ରହିଛନ୍ତି ବିଜୟ ବାବୁ । ଯାହା ପଛେ ହେଉ ବିଜୟ ଯେମିତି ବିଧାନସଭା ମାଟି ମାଡିବେନି । ଚର୍ଚ୍ଚା ହେଉଛି ଖାସ୍ ବିଜୟଙ୍କ ପରାଜୟ ପାଇଁ ବିଜେପି ସହିତ ଅଲିଖିତ ସନ୍ଧି କରିଛନ୍ତି ବିଜେଡି ସୁପ୍ରିମୋ । ଅଶ୍ୱିନୀ ଅଗ୍ରୱାଲଙ୍କୁ ସମର୍ଥନ ଦେବା ଓ ଇଚ୍ଛା ନଥାଇ ବି କେନ୍ଦ୍ର ବଜେଟକୁ ପ୍ରଶଂସା କରିବା ଆଦି ଜଣାଇଦେଉଛି ଉଭୟଙ୍କ ସମ୍ପର୍କର ନିବିଡତାକୁ । ତେଣୁ ଅଶ୍ୱିନୀଙ୍କ ବଦଳରେ ବିଜୟଙ୍କୁ ଯେ ବଳି ପକାଯାଇନଥିବା ତାହା ଆକଳନ କରାଯାଇ ନପାରେ ।

ଉଭୟ ବିଜେଡି ଓ ବିଜେପି କୋଇ କିସିସେ କମ୍ ନେହିଁ ଭଳି । ଦୁଇ ଦଳର ମାଳ ମାଳ ନେତା କ୍ୟାମ୍ପ ପକାଇଛନ୍ତି ପାଟକୁରାରେ । ଗାଁ ଗାଁରେ ନେତାଙ୍କ ଗହଳି ନିର୍ବାଚନ ବଦଳରେ ମାହୋଲକୁ ଉଷ୍ମ କରୁଛି । ଏହାରି ଭିତରେ କଥା ଉଠୁଛି, ବିଜୟଙ୍କ ବିଜୟ ପାଇଁ ନା ପରାଜୟ ପାଇଁ କାମ କରିବ ବିଜେପି । ଏମିତି କୁହାଯାଇପାରେ, ଓଡିଶା ବିଜେପିରେ କିଏ ଅଣ୍ଟିଛୁରୀ ତଣ୍ଟି କାଟି ପାରେ ତାହା ଏଇଠି ଜଣାପଡିଯିବ । ଏହାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର । ତେବେ ଜୁଲାଇ ୨୦ ହିଁ ସ୍ପଷ୍ଟ କରିଦେବ ଏ ଅଣ୍ଟି ଛୁରୀର ବେଣ୍ଟ କାହା ହାତରେ…

Related Posts