କନ୍ଦମୂଳ ବାସ୍ନାରେ ମହକିଲା ସଚିବାଳୟ

ଭୁବନେଶ୍ୱର- ଓଡିଆ ପରିବାରର ସମସ୍ତଙ୍କ ପସନ୍ଦ କନ୍ଦମୂଳ । ଓଡିଶାର ୪୨ ହଜାର ହେକ୍ଟର ଚାଷ ଜମିରେ ଏହା ଚାଷ ହୋଇଥିବା ବେଳେ ଏହାର ଉତ୍ପାଦନ ନେଇ ଓଡିଶାର ରେକର୍ଡ ରହିଛି । ତେଣୁ କନ୍ଦମୂଳକୁ କୃଷି ଓଡିଶା ୨୦୧୯ର ମାସ୍କଟର ଥିମ୍ ରଖାଯାଇଥିବା ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଶଶିଭୂଷଣ ବେହେରା । ଆଜି ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହି ମାସ୍କଟର ଉନ୍ମୋଚନ କରଛନ୍ତି ।

ବଡ ଦେଉଳରେ ଶ୍ରୀଜଗନ୍ନାଥଙ୍କ ବ୍ୟଂଜନର ସ୍ୱାଦ ବଢ଼ାଇଥାଏ କନ୍ଦମୂଳ । ଏହାଛଡା ଏହା ଲାଭ ଜନକ ଫସଲ ବୋଲି କହିଛନ୍ତି କୃଷିମନ୍ତ୍ରୀ । ଭିଟାମିନ-‘କ’ରେ ପରିପୂର୍ଣ୍ଣ ଏହି ଫସଲର ୨ଟି କିସମ କଂଜନଗଡ ଓ ବିଧାନଜ୍ୟୋତି ଦେଶରେ ଆଦୃତି ଲାଭ କରିଥିବା କୃଷିମନ୍ତ୍ରୀ କହିଛନ୍ତି ।

ସେହିଭଳି ଏ ଫସଲ ଦ୍ୱାରା ଆୟତନ ଓ ଉତ୍ପାଦକତା ବୃଦ୍ଧି ପାଇଁ ଗେନ୍ସ ନାମକ ଏକ ପ୍ରକଳ୍ପ ୨୦୧୬-୧୭ରୁ ରାଜ୍ୟରେ କାର୍ଯ୍ୟ କରୁଥିବା ଓ ଏହାଦ୍ୱାରା ୬ହଜାର ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏସବୁକୁ ଦୃଷ୍ଟିରେ ରଖି କୃଷି ଓଡିଶା ୨୦୧୯ର ମାସ୍କଟକୁ କନ୍ଦମୂଳ ରଖାଯାଇଛି ।

ଜାନୁଆରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ କୃଷି ଓଡିଶା ୨୦୧୯ ଭୁବନେଶ୍ୱର ବରମୁଣ୍ଡା ଠାରେ ଆୟୋଜିତ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ପ୍ରତ୍ୟେକ ଦିନ କୃଷି, ମତ୍ସ୍ୟ ଓ ପଶୁପାଳନ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Related Posts