ଟି-୨୦ ବିଶ୍ୱକପ; ଆହତ ବୁମରାଙ୍କ ସ୍ଥାନ ନେବେ ମହମ୍ମଦ ସିରାଜ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆହତ ଜନିତ ସମସ୍ୟା ଯୋଗୁଁ ଭାରତୀୟ ଟି-୨୦ ବିଶ୍ୱକପ ଦଳରୁ ବାଦ୍ ପଡିଛନ୍ତି ଷ୍ଟାର ବୋଲର ଯଶପ୍ରୀତ ବୁମରା । ଏହା ଫଳରେ ଟିମ୍ ଇଣ୍ଡିଆର ବୋଲିଂ ୟୁନିଟ କିଛି ମାତ୍ରାରେ ଦୁର୍ବଳ ହୋଇଛି । ତେବେ ବୁମରାଙ୍କ ବଦଳରେ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଟି-୨୦ ବିଶ୍ୱକପ ଟିମରେ ସ୍ଥାନ ମିଳିଛି । ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଏପରିକି ଦକ୍ଷିଣ ଆଫ୍ରିକା ବିପକ୍ଷ ଅବଶିଷ୍ଟ ୨ଟି ଟି-୨୦ ମୁକାବିଲା ପାଇଁ ମଧ୍ୟ ସିରାଜ ଦଳରେ ସାମିଲ ହେବେ । ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଆସନ୍ତା ୨ ଅକ୍ଟୋବର ଓ ୪ ଅକ୍ଟୋବରରେ ଗୌହାଟୀ ଓ ଇନ୍ଦୋରରେ ଦ୍ୱିତୀୟ ଓ ତୃତୀୟ ଟି-୨୦ ମୁକାବିଲା ଖେଳାଯିବ ।

ତେବେ ଗତକାଲି ଆହତ ଜନିତ ସମସ୍ୟା ପାଇଁ ଟି-୨୦ ବିଶ୍ୱକପ ଦଳ ବାଦ୍ ପଡ଼ିଥିଲେ ବୁମରା। ଏହାପରେ ମହମ୍ମଦ ସାମିଙ୍କୁ ଟିମରେ ସାମିଲ କରାଯିବା ନେଇ ଯଥେଷ୍ଟ ସମ୍ଭାବନା ରହିଥିଲା । କାରଣ ସାମିଙ୍କୁ ଟି-୨୦ ବିଶ୍ୱକପ୍ ପାଇଁ ଷ୍ଟାଣ୍ଡବାଏରେ ରଖିଥିଲେ ଚୟନକର୍ତ୍ତା । କିନ୍ତୁ ଆଜି ସାମିଙ୍କ ବଦଳରେ ସିରାଜଙ୍କୁ ବଛାଯାଇଛି । କାରଣ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି ସିରାଜ । ସେ ଇଂଲଣ୍ଡରେ ଖେଳାଯାଉଥିବା କାଉଣ୍ଟିଂ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେହେତୁ ବିଦେଶ ମାଟିରେ ସିରାଜ ଭଲ ପ୍ରଦର୍ଶନ କରିଥିଲେ ତେଣୁ ତାଙ୍କ ଉପରେ ଭରସା କରିଛି ଚୟନକର୍ତ୍ତା ଦଳ ।

Related Posts