
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚାଲିଛି ଫଟାଫଟ୍ କ୍ରିକେଟର ମହାସମର। ବିଶ୍ୱକପ୍ ଟ୍ରଫି ପାଇଁ ଚାଲିଛି ଜୋରଦାର କସରତ। ତେବେ ଏହି ଟୁର୍ଣ୍ଣାମେଣ୍ଟ ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି। ଚଳିତ ଟି-୨୦ ବିଶ୍ଵକପରେ ଆଜି ଖେଳାଯିବ ପ୍ରଥମ ସେମିଫାଇନାଲ ମ୍ୟାଚ। ଏଥିରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ପ୍ରଥମ ସେମି ଫାଇନାଲ ମ୍ୟାଚରେ କଡ୍ଡା ଟକ୍କର ହେବା ନେଇ ଫ୍ୟାନ୍ସ ଆଶା ରଖିଛନ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ସମୟ ଅପରାହ୍ନ ୧.୩୦ରେ ଆରମ୍ଭ ହେବ ମ୍ୟାଚ୍ । ବିଜେତା ଟିମ୍କୁ ଫାଇନାଲ ମ୍ୟାଚ ପାଇଁ ଟିକେଟ ମିଳିବ । ଏନେଇ ଦୁଇଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପରସ୍ପରକୁ ମାତ୍ ଦେବାକୁ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ରଣନୀତି । କିଏ ମାରିବ ବାଜି ତାକୁ ଅପେକ୍ଷା ।
ଉଭୟ ଦଳ ନିକଟରେ ମ୍ୟାଚ ଜିତିବା ଦକ୍ଷତା ରହିଛି । ପୂର୍ବ ରେକର୍ଡକୁ ଦେଖିଲେ ଆଜିର ମୁକାବିଲା ପାକିସ୍ତାନ ସପକ୍ଷରେ ଯାଉଛି । ରେକର୍ଡ ଅନୁସାରେ ପାକିସ୍ତାନ ପଲ୍ଲା ଭାରି ରହିଛି । ବିଶ୍ୱକପରେ ଉଭୟ ଦଳ ୩ ଥର ମୁହାମୁହିଁ ହୋଇଛନ୍ତି । ନ୍ୟୁଜିଲାଣ୍ଡ ଥରେ ହେଲେ ଜିତିନାହିଁ । ସେପଟେ ଚଳିତ ବିଶ୍ୱକପ ରେ ପାକିସ୍ତାନର ପ୍ରଦର୍ଶନ ଏତେ ଭଲ ନଥିଲେ ମଧ୍ୟ ଦଳ କେବଳ ନିଜର ଭାଗ୍ୟ ବଳରେ ସେମିରେ ପ୍ରବେଶ କରିଛି । ନ୍ୟୁଜିଲାଣ୍ଡ ନିଜର ଗ୍ରୁପ ମ୍ୟାଚଗୁଡିକରେ ଏକପାଖିଆ ବିଜୟ ହାସଲ କରିଛି । ଗ୍ରୁପ ବି’ରେ ଥିବା ପାକିସ୍ତାନ ଭାରତ ଓ ଜିମ୍ବାୱେଠୁ ହାରିଲେ ମଧ୍ୟ ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡସ ଓ ବାଂଲାଦେଶଠୁ ବିଜୟ ହାସଲ କରି ସେମିରେ ପ୍ରବେଶ କରିଛି ।
ତେବେ ବିଶ୍ୱକପ ସେମି ଫାଇନାଲରେ ପୂର୍ବରୁ ମଧ୍ୟ ଏହି ଦୁଇଦଳ ସାମ୍ନାସାମ୍ନି ହୋଇଛନ୍ତି । ୧୯୯୨ରେ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ବିଶ୍ୱକପ ସେମିରେ ପାକିସ୍ତାନ ବିଜୟୀ ହୋଇଥିଲା । ପାକିସ୍ତାନ ବିପକ୍ଷରେ ଦିନିକିଆ ବିଶ୍ୱକପରେ ନ୍ୟୁଜିଲାଣ୍ଡ ୧୯୯୨, ୧୯୯୯ ଓ ୨୦୦୭ ଟି-୨୦ ବିଶ୍ଵକପରେ ପରାଜିତ ହୋଇଥିଲା । ଆଜିର ମୁକାବିଲାରେ ପରଜାୟ ଧାରାରେ ବ୍ରେକ ଦେବାକୁ ଲକ୍ଷ୍ୟ ରଖିଛି କିୱି ଟିମ୍ ।
ସେପଟେ ଚଳିତ ଟୁର୍ଣ୍ଣାମେଣ୍ଟ କଥା ଦେଖିବାକୁ ଗଲେ ପାକିସ୍ତାନ ବ୍ୟାଟର ଭଲ ପ୍ରଦର୍ଶନ କରି ନାହାନ୍ତି । ବିଶେଷ କରି ପାକ୍ର ଦୁଇ ଓପରନ ମହମ୍ମଦ ରିଜୱାନ ଓ ଅଧିନାୟକ ବାବର ଆଜମ ଫର୍ମରେ ନାହାନ୍ତି । ଯାହାର ଫାଇଦା ନେଇପାରନ୍ତି ନ୍ୟୁଜିଲାଣ୍ଡ ବୋଲର । ଏମାନଙ୍କ ବିଫଳତା ନ୍ୟୁଜିଲାଣ୍ଡ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇପାରେ । ନ୍ୟୁଜିଲାଣ୍ଡ ଅଧିନାୟକ ପ୍ରଥମରୁ ନହେଲେ ମଧ୍ୟ ଡେରିରେ ଫର୍ମକୁ ଫେରିଛନ୍ତି । ଗ୍ଲେନ୍ ଫିଲିଫ୍ସ ପୂର୍ବ ଦୁଇ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଶତକ ହାସଲ କରିଥିଲେ ଯାହା ଦଳ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି । ଦଳର ଫାଷ୍ଟ ବୋଲର ଟିମ୍ ସାଉଦି ଓ ଟ୍ରେଣ୍ଟ ବୋଲ୍ଟ ନ୍ୟୁଜିଲାଣ୍ଡ ପାଇଁ ଟ୍ରମକାର୍ଡ ସାବ୍ୟସ୍ତ ହୋଇ ପାରନ୍ତି । ପାକିସ୍ତାନର ଫାଷ୍ଟ ବୋଲର ନସୀମ ଶାହ ମଧ୍ୟ ଫର୍ମରେ ରହିଛନ୍ତି । ସେପଟେ ଶାହିନ ଆଫ୍ରିଦି ମଧ୍ୟ ଫର୍ମକୁ ଫେରିଛନ୍ତି ।
ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୨୮ ଥର ଟି୨୦ ମୁକାବିଲା ହୋଇଛି । ଏଥିରେ ସର୍ବାଧିକ ବିଜୟ ରେକର୍ଡ ପାକିସ୍ତାନ ସପକ୍ଷରେ ଯାଇଛି । ୨୮ ଟି ମ୍ୟାଚରୁ ୧୭ ଥର ପାକିସ୍ତାନ ବିଜୟୀ ହୋଇଥିବା ବେଳେ ୧୧ ଥର ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି । ତେବେ କ୍ରିକେଟ ବେଳେବେଳେ ସବୁ ଆକଳନ ଓ ପରିସଂଖ୍ୟାନକୁ ଭୁଲ ପ୍ରମାଣିତ କରେ। ଏହାକୁ ଦେଖିଲେ ଆଜିର ମ୍ୟାଚ୍ କିଏ ଜିତିବ ତାହା ଆକଳନ କରିବା ମୁସ୍କିଲ। ତେବେ ଆଜିର ବିଜୟୀ ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ଓ ଆସନ୍ତାକାଲି (ଗୁରୁବାର) ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚର ବିଜୟୀ ଦଳକୁ ଫାଇନାଲ ଲଢେଇରେ ଭେଟିବ।