ଟି-୨୦ ବିଶ୍ୱକପ: ବିଜେତା ଟିମ୍ କୁ ମିଳିବ ୧.୬ ମିଲିୟନ ଡଲାର: ଆଇସିସି

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ତେବେ ଏହା ପୂର୍ବରୁ ବିଜୟୀ ଦଳ ଠାରୁ ଆରମ୍ଭ କରି ରନର୍ସଅପ ଓ ଅନ୍ୟ ଦଳଗୁଡ଼ିକ କେତେ ଟଙ୍କା ଲେଖାଏ ପୁରସ୍କାର ରାଶି ପାଇବେ ସେନେଇ ଘୋଷଣା କରିଛି ଆଇସିସି।

ଅକ୍ଟୋବର ୧୬ ତାରିଖ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ୨ଟି ରାଉଣ୍ଡରେ ଖେଳାଯିବ ଓ ଏହା ନଭେମ୍ବର ୧୩ ଯାଏ ଚାଲିବ।

ନଭେମ୍ବର ୧୩ରେ ଖେଳା ଯିବାକୁ ଥିବା ଟି-ବିଶ୍ୱକପ ଫାଇନାଲରେ ଯେଉଁ ଦଳ ଜିତିବ, ତା’କୁ ୧.୬ ମିଲିୟନ ଡଲାର ବା ୧୩,୦୪,୯୭,୮୪୦ ଟଙ୍କା ମିଳିବ। ସେହିପରି ଗତବର୍ଷ ଭଳି ରନର୍ସ ଅପ ଟିମ୍‌କୁ ୮୦୦,୦୦୦ ଡଲାର ଦିଆଯିବ। ସେମି ଫାଇନାଲରେ ହାରିଥିବା ଦୁଇ ଦଳକୁ ୪୦୦,୦୦୦ ଡଲାର ଲେଖାଏ ପୁରସ୍କାର ବାବଦ ଅର୍ଥ ମଳିବ। ମୋଟ ଉପରେ ଆଇସିସି ୫.୬ ମିଲିୟନ ଡଲାରର ଆର୍ଥିକ ପୁରସ୍କାର ୧୬ଟି ଯାକ ଟିମକୁ ଦେବ ବୋଲି କହିଛି।

ଆଇସିସି କହିଛି ଯେ ୨୦୨୧ ଟି-୨୦ ବିଶ୍ୱକପ ଭଳି ୨୦୨୨ରେ ମଧ୍ୟ ସୁପର ୧୨ରୁ ବାଦ ପଡ଼ୁଥିବା ୮ ଦଳକୁ ୭୦,୦୦୦ ଡଲାର ଲେଖାଏ ଦିଆଯିବ। ସେହିପରି ରାଉଣ୍ଡ ୧ ଓ ସୁପର ୧୨ରେ ପ୍ରତି ମ୍ୟାଚ୍‌ ଜିତିଲେ ୪୦,୦୦୦ ଡଲାର ଲେଖାଏ ମିଳିବ। ଯେଉଁ ଦଳ ପ୍ରଥମ ରାଉଣ୍ଡରୁ ବିଦାୟ ନେବ, ତା’କୁ ମଧ୍ୟ ୪୦,୦୦୦ ଡଲାର ଦିଆଯିବ ବୋଲି ଆଇସିସି ପକ୍ଷରୁ ଜାରି ବୃବିତିରେ କୁହାଯାଇଛି।

ଆଇସିସି କହିଛି ଯେ ସୁପର ୧୨କୁ ସିଧାସଳଖ ୮ଟି ଟିମ ପ୍ରବେଶ କରିଛନ୍ତି। ସେମାନେ ହେଲେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଇଣ୍ଡିଆ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା। ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଖେଳିବା ପାଇଁ ଆଉ ୮ଟି ଦଳ ରହିଛନ୍ତି। ଗ୍ରୁପ ଏ’ରେ- ନାମ୍ବିଆ, ଶ୍ରୀଲଙ୍କା, ନେଦରଲ୍ୟାଣ୍ଡସ ଓ ୟୁଏଇ ରହିଛନ୍ତି। ଗ୍ରୁପ ବି’ରେ ୱେଷ୍ଟଇଣ୍ଡିଜ, ସ୍କଟଲ୍ୟାଣ୍ତ, ଆୟର୍ଲ୍ୟାଣ୍ତ ଓ ଜିମ୍ବାୱେ ଅଛନ୍ତି।

ଏହି ୮ ଦଳ ମଧ୍ୟରୁ ପ୍ରତି ଗ୍ରୁପର ଶ୍ରେଷ୍ଠ ୨ ଦୁଇ ସୁପର ୧୨ରେ ପ୍ରବେଶ କରିବେ। ପ୍ରତି ମ୍ୟାଚ୍‌ର ବିଜୟୀ ଦଳକୁ ୪୦,୦୦୦ ଡଲାର ମିଳିବ। ୧୨ଟି ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଆଇସିସି ମୋଟ ୪୮୦,୦୦୦ ଡଲାର ପୁରସ୍କାର ବାବଦରେ ଦେବ। ସେହିପରି ପ୍ରଥମ ରାଉଣ୍ତରୁ ବିଦାୟ ନେଉଥିବା ୪ଟି ଟିମକୁ ମଧ୍ୟ ୪୦,୦୦୦ ଡଲାର ଲେଖାଏ ଦିଆଯିବ।

Related Posts