ଆଫଗାନିସ୍ତାନ ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ଭାଇଙ୍କୁ ଛଟପଟ କରି ମାରିଲେ ତାଲିବାନୀ ସୈନିକ, ମୃତଦେହ ପଚି ଶଢ଼ିବାକୁ ଛାଡ଼ିଦେଲେ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ୨୦ ବର୍ଷ ପରେ ଆଫଗାନିସ୍ତାନରେ ସତ୍ତାକୁ ଫେରିଥିବା ତାଲିବାନ ବର୍ବରତା ପୂର୍ବ ଭଳି ଜାରି ରହିଛି । ତେବେ କେତେବେଳେ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର ତ ଆଉ ପୁଣି କେତେବେଳେ ନିଜ ବିରୋଧୀଙ୍କ ଉପରେ ଗୁଳିମାଡ,  ଏମିତିକି ସାମ୍ବାଦିକ ମାନେ ମଧ୍ୟ ତାଲିବାନ ଆକ୍ରମଣରୁ ବର୍ତ୍ତି ପାରି ନାହାନ୍ତି । ଏବେ ସାମ୍ନାକୁ ଆସିଛି ତାଲିବାନୀ ବର୍ବରତାର ଆଉ ଏକ କାରନାମା। ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲା ଅଜିଜିଙ୍କୁ ତାଲିବାନ ଆତଙ୍କୀ ପଞ୍ଜଶିରରେ ଅକଥନୀୟ ଅତ୍ୟାଚାର କରି ହତ୍ୟା କରିଥିବା ଜଣାପଡିଛି। 

ଏନେଇ ସୂଚନା ଦେଇଛନ୍ତି ଅମରୁଲ୍ଲା ସାଲେହଙ୍କ ଭଣଜା । ତାଲିବାନ ସମ୍ପୂର୍ଣ୍ଣ ଭାବେ ପଞ୍ଜଶିରକୁ ନିଜ ଅକ୍ତିଆରକୁ ନେବା ପରେ ପରେ  ଅମରୁଲ୍ଲାଙ୍କ ଭାଇଙ୍କ ହତ୍ୟା ଘଟିଛି । ରିପୋର୍ଟ ଅନୁଯାୟୀ , ସେପ୍ଟେମ୍ବର ୯ ତାରିଖ ରାତିରେ ପଞ୍ଜଶିର ଉପତ୍ୟକାରେ ତାଲିବାନ ଓ ନର୍ଦନ ରେସିଷ୍ଟାନ୍ସ ଫ୍ରଣ୍ଟଙ୍କ ମଧ୍ୟରେ କଡା ସଂଘର୍ଷ ହୋଇଥିଲା। ଏହି ସମୟରେ ତାଲିବାନୀ ଆତଙ୍କୀ ଅମରୁଲ୍ଲାଙ୍କ ଭାଇ ରୋହୁଲ୍ଲାଙ୍କୁ ଚିହ୍ନଟ କରି ତାଲିବାନ ସୈନିକ ମାନେ ନିର୍ଯାତନା ଦେବା ପରେ ହତ୍ୟା କରିଥିଲେ। ତାଲିବାନ ବର୍ବରତା ଏଥିରୁ ଅନୁମାନ କରାଯାଇ ପାରିବ ଯେ, ତାଲିବାନ ସୈନିକମାନେ ରୋହୁଲ୍ଲାଙ୍କ ଅନ୍ତିମ ସଂସ୍କାର ନକରି ତାଙ୍କ ମୃତଦେହ ପଚି ନଷ୍ଟ ହୋଇଯାଉ ବୋଲି ତାଲିବାନ ସୈନିକ କହିଥିଲେ । ଏ ସମ୍ପର୍କରେ ମୃତ ରୋହୁଲ୍ଲାଙ୍କ ଜଣେ ପରିବାର ସଦସ୍ୟ ସୂଚନା ଦେଇଛନ୍ତି। 

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ପଞ୍ଜଶିରକୁ ତାଲିବାନ ସମ୍ପୂର୍ଣ୍ଣ ଭାବେ ନିଜ ଅକ୍ତିଆରକୁ ନେଇଥିବା ନେଇ ଦାବି କରିଥିଲା। କିନ୍ତୁ ନ୍ୟାସନାଲ ରେସିଷ୍ଟାନ୍ସ ଫ୍ରଣ୍ଟ, ତାଲିବାନର ଏହି ଦାବିକୁ ଖଣ୍ଡନ କରିଥିଲା। କିଛି ମିଡିଆ ରିପୋର୍ଟ ଅନୁଯାୟୀ , ତାଲିବାନକୁ ବିରୋଧ କରୁଥିବା ବିରୋଧୀ ନେତା ଅହମଦ ମସୁଦ ଓ ଅମରୁଲ୍ଲା ସାଲେହ ପଞ୍ଜଶିର ତାଲିବାନର ଅକ୍ତିଆରକୁ ଚାଲି ଯିବା ପରେ ତାଜିକିସ୍ତାନ ଚାଲି ଯାଇଛନ୍ତି। କିନ୍ତୁ ତାଜିକିସ୍ତାନରେ ଆଫଗାନିସ୍ତାନ ସରକାରଙ୍କ ବହିଷ୍କୃତ ରାଷ୍ଟ୍ରଦୂତ ଏ ଖବରକୁ ଖଣ୍ଡନ କରିଛନ୍ତି। 

Related Posts