୭ମ ୱିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରି କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସୃଷ୍ଟି କଲେ ନୂଆ ରେକର୍ଡ । କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଜାଡେଜା ।ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରି ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନ୍‌ର ଇନିଂସ ଖେଳି ଜାଡେଜା ଏକାଧିକ ରେକର୍ଡ କରିଛନ୍ତି।

ବର୍ତ୍ତମାନ ଜାଡେଜା ଭାରତ ପାଇଁ ୭ମ ୱିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳି ବନି ଯାଇଛନ୍ତି। ଜାଡେଜାଙ୍କ ପୂର୍ବରୁ କପିଲ ଦେବଙ୍କ ନାଁରେ ଏହି ରେକର୍ଡ ଥିଲା। ସେ ୧୯୮୬ ମସିହା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ୧୬୩ ରନ୍‌ର ଇନିଂସ ଖେଳିଥିଲେ। ସେବେଠାରୁ କୌଣସି ଭାରତୀୟ ୭ମ ସ୍ଥାନରେ ବ୍ୟାଟିଂ କରି ଏତେ ରନ କରି ପାରି ନଥିଲେ। ହେଲେ ଆଜି ଜାଡେଜା ସେହି ଶ୍ରୀଲଙ୍କା ବିପକ୍ଷରେ ଏହି ରେକର୍ଡକୁ ଭାଙ୍ଗିଛନ୍ତି।

ସେହିପରି ଜାଡେଜା ପ୍ରଥମ ଭାରତୀୟ ଭାବେ ୭ ନଂରେ ବ୍ୟାଟିଂ କରି କୌଣସି ଇନିଂସରେ ୩ ଖେଳାଳିଙ୍କ ସହ ୧୦୦+ ଭାଗିଦାରୀ କରିଛନ୍ତି। ପ୍ରଥମେ ସେ ଋଷଭ ପନ୍ତ(୯୬)ଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିଥିଲେ। ଏହାପରେ ରବି ଅଶ୍ୱିନ(୬୧) ଓ ଶେଷରେ ମହମ୍ମଦ ଶାମି(୨୦)ଙ୍କ ସହ ମିଶି ୧୦୦ ରନ୍‌ର ଭାଗିଦାରୀ କରିଛନ୍ତି।

କପିଲ ଦେବ ଓ ଜାଡେଜାଙ୍କ ବ୍ୟତୀତ ୭ମ ସ୍ଥାନରେ ଭାରତ ପାଇଁ ସର୍ବାଧିକ ରନ୍ କରିଥିବା ତାଲିକାର ତୃତୀୟ ସ୍ଥାନରେ ଋଷଭ ପନ୍ତ(୧୫୬) ରନ୍ ରହିଛନ୍ତି।

ମ୍ୟାଚ୍ କଥା ବିଚାରକୁ ନେଲେ ଜାଡେଜାଙ୍କ ଅପରାଜିତ ୧୭୫ ରନ୍ ବଳରେ ଭାରତ ତା’ ପ୍ରଥମ ପାଳିରେ ୮ ୱିକେଟ ହରାଇ ୫୭୪ ରନ୍ କରିଛି। ଦଳ ୮ଟି ୱିକେଟ ହରାଇଥିବା ବେଳେ ଅଧିନାୟକ ରୋହିତ ଶର୍ମା ଇନିଂସ ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପନ୍ତ ୯୬, ରବି ଅଶ୍ୱିନ ୬୧, ହନୁମା ବିହାରୀ ୫୮, ବିରାଟ କୋହଲି ୪୫, ମୟଙ୍କ ଅଗ୍ରୱାଲ ୩୩, ରୋହିତ ଶର୍ମା ୩୯ ଓ ଶ୍ରେୟସ ଆୟୀ ୨୭ ରନ୍‌ର ଇନିଂସ ଖେଳିଛନ୍ତି ।

Related Posts