IRCTC ଦୁର୍ନୀତି ମାମଲାରେ ପୁଣି ବଢିଲା ତେଜସ୍ବୀ ଯାଦବଙ୍କ ସମସ୍ୟା: CBI ଆବେଦନ ପରେ କୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : IRCTC ଦୁର୍ନୀତି ମାମଲାକୁ ନେଇ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ପାଇ ସମସ୍ୟା ଆହୁରି ବଢିଯାଇଛି । ସିବିଆଇ କରିଥିବା ବେଲ ଖାରଜ ମାମଲା ନେଇ ତଜସ୍ବୀଙ୍କୁ ସମନ ଜାରି କରିଛନ୍ତି ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ । ଏହି ମାମଲାରେ ତେଜସ୍ବୀଙ୍କୁ ମିଳିଥିବା ବେଲ ଖାରଜ ପାଇଁ ଦିଲ୍ଲୀ କୋର୍ଟର ଦ୍ବାରସ୍ଥ ହୋଇଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଏହି ମାମଲାର ତଦନ୍ତ ସିବିଆଇ ଜାରି ରଖିଥିବା ବେଳେ ସଂସ୍ଥାର କିଛି ଅଧିକାରୀଙ୍କୁ ଧମକ ଦେବା ସହ ତଦନ୍ତ ପ୍ରଭାବିତ କରିବା ଅଭିଯୋଗ କରି ତେଜସ୍ବୀଙ୍କ ବେଲ ଖାରଜ ପାଇଁ ସିବିଆଇ ମାମଲା ଦାଏର କରିଥିଲା । ଆଜି ଏହି ମାମଲାରେ କୋର୍ଟ ତେଜସ୍ବୀଙ୍କୁ ନୋଟିସ ଜାରି କରିଛନ୍ତି । ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ବିଚାରପତି ଜଷ୍ଟିସ ଗୀତାଞ୍ଜଳି ଗୋଏଲ ଏହି ମାମଲାରେ ତେଜସ୍ବୀଙ୍କୁ ସମନ କରିବା ସହ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସିବିଆଇ କରିଥିବା ମାମଲାରେ ଦର୍ଶାଯାଇଛି ଯେ, ଏହି ମାମଲାର ତଦନ୍ତ ଜାରି ରହିଥିଲା ବେଳେ ଏକ ପ୍ରେସମିଟରେ ତେଜସ୍ବୀ କେନ୍ଦ୍ରୀୟ ଅଧିକାରୀଙ୍କୁ ଧମକ ଦେବା ସହ ମାମଲାର ତଦନ୍ତ ମଧ୍ୟ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । 2006 ରେ ଏହି ମାମଲା ପ୍ରଥମେ ତଦନ୍ତ ପରିସରକୁ ଆସିଥିଲା । ଝାଡଖଣ୍ଡର ରାଞ୍ଚି ଓ ପୁରୀରେ ଖୋଲିବାକୁ ଥିବା ଦୁଇ ପ୍ରସ୍ତାବିତ IRCTC ହୋଟେଲ ପାଇଁ ଏକ ଘରୋଇ କମ୍ପାନୀକୁ ଏହାର କଣ୍ଟ୍ରାକ୍ଟ ଦେବା ନେଇ ବ୍ୟାପକ ଆର୍ଥିକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ କେନ୍ଦ୍ରରେ ଶାସନରେ ଥିବା UPA-1 ରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଦାୟିିତ୍ବରେ ଥିଲେ ।

ରେଳବାଇ କ୍ଷେତ୍ରରେ ଚାକିରି ପାଇଁ ଏକାଧିକ ଆଶାୟୀଙ୍କ ଠାରୁ ଲାଲୁଙ୍କ ପରିବାର ଜମି ହାତେଇ ଥିବା (“land-for-jobs”) ନେଇ ମଧ୍ୟ ଗମ୍ଭୀର ଅଭିଯୋଗ ହୋଇଥିଲା । ତେବେ ଦୀର୍ଘ ବର୍ଷ ପରେ ଗତମାସ ପୁଣି ଏହି ମାମଲାର ଖୋଳତାଡ କରିବା ଆରମ୍ଭ କରିଥିଲା ସିବିଆଇ । ଏକାଧିକ ଆରଜେଡି ନେତାଙ୍କ ଘରେ ଅତର୍କିତ ରେଡ ପଡିବା ପରେ ପ୍ରେସମିଟ କରିଥିଲେ ବର୍ତ୍ତମାନର ବିହାର ଉପ ମୁଖ୍ୟମନ୍ତ୍ର ତେଜସ୍ବୀ ଯାଦବ । ସିବିଆଇ ଅଧିକାରୀଙ୍କର ପରିବାର ଅଛି ନା ନାହିଁ ? ସେମାନେ ବି ଦିନେ ସେବା ନିବୃତ୍ତ ହେବା ସହ କେନ୍ଦ୍ରରେ ସରକାର ମଧ୍ୟ ବଦଳିବ ବୋଲି କହି ପରୋକ୍ଷରେ ଧମକ ଦୋଇଥିଲେ ତେଜସ୍ବୀ । ଏପରି ବୟାନ ପରେ ସିବିଆଇ ମଧ୍ୟ କୋର୍ଟରେ ପହଞ୍ଚିଥିଲା । ଆଜି କୋର୍ଟ ତେଜସ୍ବୀଙ୍କୁ ନୋଟିସ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts