ଜମ୍ମୁ କାଶ୍ମୀରର ସମ୍ବା ଜିଲ୍ଲାର ଅନ୍ତର୍ଜାତୀୟ ସୀମାରେ ଉଡ଼ିଲା ପାକିସ୍ତାନୀ ସନ୍ଦିଗ୍ଧ ଡ୍ରୋନ୍‌

ଶ୍ରୀନଗର: ସୁଧୁରୁନି ପାକିସ୍ତାନ। ପୁଣି ଥରେ ଭାରତୀୟ ସୀମାରେ ଉଡାଇଲା ଡ୍ରୋନ୍‌ । ଆଜି (ରବିବାର) ସକାଳ ସମୟରେ ଜମ୍ମୁ କାଶ୍ମୀରର ସମ୍ବା ଜିଲ୍ଲାର ଅନ୍ତର୍ଜାତୀୟ ସୀମାରେ ଏକ ପାକିସ୍ତାନୀ ସନ୍ଦିଗ୍ଧ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଥିବା ବିଏସଏଫ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଏନେଇ ସୀମା ସୁରକ୍ଷା ବଳ (BSF) ତରଫରୁ କୁହାଯାଇଛନ୍ତି ଯେ, ”ସାମ୍ବା ଜିଲ୍ଲାର ଆନ୍ତର୍ଜାତୀୟ ସୀମା ନିକଟର ସାରଥୀ କାଲାନ ଗ୍ରାମରେ ସନ୍ଦିଗ୍ଧ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଛି । ରେଗାଲ୍ ସୀମା ଆଉଟପୋଷ୍ଟ ନିକଟରେ ଏହା ଉଡୁଥିଲା, ଏହି ସ୍ଥାନରେ ଅତିତରେ ପାକିସ୍ତାନ ଡ୍ରେନ ଦ୍ବାରା ଅସ୍ତ୍ରଶସ୍ତ୍ର ପକାଇବାକୁ ଅନେକ ଚେଷ୍ଟା କରିଥିଲା । ସନ୍ଦିଗ୍ଧ ଡ୍ରେନ ନଜରକୁ ଆସିବା ପରେ ସୀମା ସୁରକ୍ଷା ବଳ ତରଫରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।’’

ଗତ ସେପ୍ଟେମ୍ବର 12 ତାରିଖରେ ପଞ୍ଜାବ ଗୁରୁଦାସପୁର ସେକ୍ଟର ଅନ୍ତର୍ଜାତୀୟ ସୀମାରେ ଏକ ପାକ୍ ଡ୍ରୋନ ଠାବ ହୋଇଥିଲା । ବିଏସଏଫ ରୋଜା ପୋଷ୍ଟ ବିଓପି 89 ବାଟାଲିୟନ ଅଞ୍ଚଳରେ ଡ୍ରୋନଟି ଉଡୁଥିବା ଦେଖିବାକୁ ମିଳିଥିଲା । ଏହାପରେ ବିଏସଏଫ ଯବାନ ଡ୍ରୋନ ଉପରକୁ ଅନେକ ରାଉଣ୍ଡ ଗୁଳି ଚଲାଇଥିଲେ । ଯବାନଙ୍କ ଗୁଳି ଚାଳନାରେ ଡ୍ରୋନଟି ପାକିସ୍ତାନ ଆଡକୁ ଚାଲିଯାଇଥିଲା । ଏହା ପରେ ଡ୍ରୋନଟି ପାକିସ୍ତାନ ଫେରି ଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା ।
ଏହା ପୂର୍ବରୁ ମଇ 29ରେ ଜମ୍ମୁ କଶ୍ମୀର କାଠୁଆ ଜିଲ୍ଲାରେ ଭାରତ ସୀମାରେ ପଶିଥିବା ପେଲୋଡ ଲାଗିଥିବା ଡ୍ରୋନକୁ ଗୁଳି କରି ଖସାଇଥିଲା ପୋଲିସ । ପାକର ଏକ ବଡ ଧରଣର ଯୋଜନା ପଣ୍ଡ ହୋଇଥିଲା । ଏପ୍ରିଲ 29ରେ ପଞ୍ଜାବର ତରନତାରନର ବିଓପି ବାବା ପିର ଅଞ୍ଚଳରେ ପାକ୍ ଡ୍ରୋନ ଠାବ ହୋଇଥିଲା । ଜୁଲାଇ 23 ତାରିଖରେ ଜମ୍ମୁ ଅଖନୂର ସେକ୍ଟରରେ ପାକିସ୍ତାନୀ ଡ୍ରୋନ୍‌ ଉଡୁଥିବାର ଦେଖିବାକୁ ମିଳିଥିଲା ।ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶକୁ କ୍ଷତି ପହଞ୍ଚାଉଛି । ଯାହା ଫଳରେ ଭାରତରେ ସ୍ମଗଲରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ଡ୍ରୋନ ଗୁଡିକ ଭାରତରେ ଚଳପ୍ରଚଳ କରିବା ଦ୍ବାରା ଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀ, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି ।

Related Posts