
ଭୁବନେଶ୍ୱରସତ୍ୟପାଠ ବ୍ୟୁରୋ): ଢିଙ୍କିଆରେ ତେଜୁଛି ଜିନ୍ଦଲ ବିରୋଧୀ ଆନ୍ଦୋଳନ । ଏନେଇ ପ୍ରଥମେ ହାଇକୋର୍ଟର ଏକ କମିଟି ଢିଙ୍କିଆ ଗସ୍ତ କରି ସମସ୍ୟାର ସମାଧାନ କରିବାକୁ ଯାଇଥିବା ବେଳେ ଏହାକୁ ସେଠିକାର କିଛି ଲୋକ ବିରୋଧ କରିବା ସହ କମିଟି ସଦସ୍ୟଙ୍କୁ ସେଠାରୁ ଫେରାଇ ଦେଇଥିଲେ । ଏହାପରେ ସେଠି ଅଶାନ୍ତି ଓ ହିଂସା ଲାଗି ରହିଥିବା ବେଳେ ହାଇକୋର୍ଟଙ୍କ ଅନୁମତି କ୍ରମେ ପୁଣି ଏକ ସ୍ୱତନ୍ତ୍ର କମିଟି ମାର୍ଚ୍ଚ ୫ ତାରିଖରେ ଢିଙ୍କିଆ ଗସ୍ତ କରିବ ବୋଲି ସୂଚନା ମିଳିଛି । ଏହି ଗସ୍ତବେଳେ ସ୍ୱତନ୍ତ୍ର କମିଟି ସେଠାରେ ଜନଶୁଣାଣି କରି ଲୋକଙ୍କର ମତାମତ ଗ୍ରହଣ କରିବ । ଏହି ଜନଶୁଣାଣି ପାଇଁ ସ୍ଥାନୀୟ ଜିଲ୍ଲାପାଳ ଓ ଏସପି ସମସ୍ତ ବନ୍ଦୋବସ୍ତ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ ସ୍ୱତନ୍ତ୍ର କମିଟି ଢିଙ୍କିଆ ଗସ୍ତ କରିବାର ୩ ଦିନ ମଧ୍ୟରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । କିଛିଦିନ ତଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଢିଙ୍କିଆକୁ ଏକ ସ୍ୱତନ୍ତ୍ର କମିଟି ଗସ୍ତ କରିଥିଲେ । ହେଲେ ସେହି ସମୟରେ ସେଠିକାର କିଛି ଲୋକ ଏହି କମିଟିକୁ ବିରୋଧ କରିଥିଲେ । ଏହାପରେ କମିଟି ସେଠାରୁ ଫେରିଆସିଥିଲା । ଅନ୍ୟପଟେ ଜିନ୍ଦଲ କମ୍ପାନୀକୁ ବିରୋଧ କରି ସେଠାରେ ଲୋକମାନେ ଆନ୍ଦୋଳନ ଚଳାଇଛନ୍ତି । ପୋଲିସ ସେହି ଆନ୍ଦୋଳନକାରୀଙ୍କ ମଧ୍ୟରୁ ଅନେକଙ୍କୁ ଗିରଫ କରିଥିବା ବେଳେ ପୋଲିସ ଭୟରେ ସେଠି କିଛି ଗ୍ରାମ ଲୋକଶୂନ୍ୟ ହୋଇପଡିଛି ।