
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କର୍ଣ୍ଣାଟକର ମୈସୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। ଡାକ୍ତର କହିଥିଲେ ଯଦି ପୁଅକୁ ୧୮ ବର୍ଷ ପର୍ଯ୍ୟନ୍ତ ମେଡିସିନ ଦିଆଯାଏ ତେବେ ସେ ଠିକ୍ ହୋଇଯିବ। କିନ୍ତୁ କରୋନାର ଦ୍ବିତୀୟ ଲହର ଯୋଗୁଁ ସରକାର ଲଗାଇଥିବା ଲକଡାଉନ୍ ତାଙ୍କ ପାଇଁ କାଳ ସାଜିଲା। ପୁଅର ମେଡିସିନ କିପରି ବନ୍ଦ ନହେବ ସେଥିପାଇଁ ସାଇକେଲରେ ୩ ଦିନ ପର୍ଯ୍ୟନ୍ତ ୩୦୦ କିମି ଯାତ୍ରା କଲା ବାପା। ଏବେ ଏହି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା। କର୍ଣ୍ଣାଟକରେ ଲକଡାଉନ ଲାଗୁ ହୋଇଥିବାରୁ ସମସ୍ତ ପରିବହନ ବ୍ୟବସ୍ଥା ବନ୍ଦ ରହିଥିଲା । ଆଉ ଘରୋଇ ଗାଡି ଭଡା କରିବାକୁ ପାଖରେ ସମ୍ବଳ ନଥିଲା। ପୁଅର ମେଡିସିନ ସରିଯାଇଥିବାରୁ ବାପା ତିନି ଦିନ ସାଇକେଲ ଯାତ୍ରା କରି ମେଡିସିନ ଆଣି ଆସିଥିଲେ । ୪୫ ବର୍ଷିୟ ଆନନ୍ଦ ବୃତ୍ତିରେ ଜଣେ ଦିନ ମଜୁରିଆ । ବେଙ୍ଗାଲୁରୁର ନିମହଂସ ହସ୍ପିଟାଲରେ ଗତ ୧୦ ବର୍ଷ ଧରି ଆନନ୍ଦଙ୍କ ପୁଅ ଚିକିତ୍ସିତ ହେଉଥିଲା । କୋପଲୁ ଗ୍ରାମରେ ରହୁଥିବା ଆନନ୍ଦ ପ୍ରତି ଦୁଇମାସରେ ଥରେ ନିଜ ପୁଅର ଔଷଧ ପାଇଁ ନିମହଂସ ହସ୍ପିଟାଲକୁ ଯାଆନ୍ତି । କିନ୍ତୁ କରୋନାର ଦ୍ବିତୀୟ ଲହର ପାଇଁ ଲକଡାଉନ୍ କଟକଣା ଲାଗିଥିବାରୁ ସେ ବାଧ୍ୟ ହୋଇ ସାଇକେଲରେ ତିନି ଦିନ ଯାତ୍ରା କରିବାକୁ ବାଧ୍ୟ ହୋଇଥିଲେ । ଆନନ୍ଦ ମେ ମାସ ୨୩ରେ ସାଇକେଲରେ ଯାତ୍ରା ଆରମ୍ଭ କରି ୨୫ ତାରିଖରେ ଘରକୁ ଔଷଧ ନେଇ ଫେରିଥିଲେ । ତେବେ ତାଙ୍କର ଏହି ଯାତ୍ରା ସହଜ ନଥିଲା। ପୁଅର ବାପା ଆନନ୍ଦ କହିଛନ୍ତି, ” ମେ ୨୬ ଅର୍ଥାତ୍ ବୁଧବାର ସୁଦ୍ଧା ମେଡିସିନ ଶେଷ ହୋଇଯାଇଥାନ୍ତା, ତେଣୁ ମୁଁ ରବିବାର ଯାତ୍ରା କଲି, ରାତିରେ ଏକ ମନ୍ଦିର ନିକଟରେ ଶୋଇଲି । ପରଦିନ ମୁଁ ହସ୍ପିଟାଲରୁ ମେଡିସିନ ନେଇ ମଙ୍ଗଳବାର ସୁଦ୍ଧା ଫେରି ଆସିଥିଲି। ରାସ୍ତାରେ ଯିବା ସମୟରେ ସେ ଖରା ବର୍ଷାର ସାମ୍ନା କରିଥିଲେ। ଯେତେବେଳେ ସେ ଜିଲ୍ଲାର ସୀମା ପାର କରୁଥିଲେ ତାଙ୍କୁ ପୋଲିସ ମଧ୍ୟ ଅଟକାଉଥିଲା । ଯାତ୍ରା କରିବା ସମୟରେ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ଭୋକିଲା ରହିଥିଲେ ବୋଲି କହିଛନ୍ତି। ରୋଗଗ୍ରସ୍ତ ପୁଅ ପ୍ରତି ଆନନ୍ଦଙ୍କର ଏହି କାର୍ଯ୍ୟକୁ ନେଇ ଏବେ ସୋସିଆଲ ମିଡ଼ିଆରେ ତାଙ୍କୁ ପ୍ରଶଂସା କରାଯାଉଛି ।