କଂଗ୍ରେସ ଛାଡି ବିଜେପିରେ ସାମିଲ୍ ହୋଇଥିବା ୧୦ ଜଣ ବିଧାୟକଙ୍କ ଘରକୁ କେକ୍ ପଠାଇଲା ଆମ୍ ଆଦମୀ ପାର୍ଟି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପଞ୍ଜାବ, ୟୁପି, ଉତ୍ତରାଖଣ୍ଡ, ଗୁଜୁରାଟ ପରେ ଏବେ ଗୋଆରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆମ୍ ଆଦମୀ ପାର୍ଟି।  ଶନିବାର ଦିନ ଆମ୍ ଆଦମୀ ପାର୍ଟି ଗୋଆ ବିଧାନସଭାର ୧୦ ବିଧାୟକଙ୍କ ଘରକୁ କେକ୍ ପଠାଇଛି। କେକ୍ ପଠାଇବା ପଛର ରାଜନୀତିଟି ହେଉଛି କଂଗ୍ରେସ ଛାଡି ବିଜେପିରେ ସାମିଲ୍ ହୋଇ ଏହି ବିଧାୟକ ମାନେ ଜନତାଙ୍କ ସହ ବିଶ୍ୱାସଘାତ କରିଛନ୍ତି। 

   ୧୦ ଜୁଲାଇ ୨୦୧୯ ରେ କଂଗ୍ରେସ ବିଧାୟକ ମାନେ ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ପ୍ରଦାନ କରିବା ପ୍ରକ୍ରିୟାରେ ସାମିଲ ଥିଲେ। ଦିଲ୍ଲୀ ବିଧାନସଭାରେ ଆମ୍ ଆଦମୀ ପାର୍ଟିର ବିଧାୟକ ତଥା ଆପ୍ ର ରାଷ୍ଟ୍ରୀୟ ପ୍ରବକ୍ତା ଆତିଶି କହିଛନ୍ତି ଯେ , “ଆମର ନେତାମାନେ ଏହି ଦିନକୁ କଳା ଦିବସ ଭାବେ ପାଳନ କରିବା ସହ ଏହି ବିଧାୟକଙ୍କ ନିକଟକୁ କେକ୍ ନେଇ ଯାଇଥିଲେ।  ସେ କହିଛନ୍ତି ଯେ ଗୋଆର ଲୋକମାନେ ବର୍ତ୍ତମାନ ଜାଣିଛନ୍ତି ଯେ କଂଗ୍ରେସକୁ ଭୋଟ୍ ଦେବା ଅର୍ଥ ବିଜେପିକୁ ଭୋଟ୍ ଦେବା। କାରଣ ଏହି ବିଧାୟକ ମାନେ ନିର୍ବାଚନ ଜିତିବା ପରେ ବିଜେପିରେ ସାମିଲ୍ ହୋଇଯାଉଛନ୍ତି। 

 ସେ କହିଛନ୍ତି ଯେ ନିକଟରେ ଆରମ୍ଭ ହୋଇଥିବା ତାଙ୍କ ଦଳର ‘Let’s Clean Goa Politics’ ଅଭିଯାନ 70,000 ରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଭଲ ପ୍ରତିକ୍ରିୟା ରଖିଥିବା ସେ କହିଛନ୍ତି। ଏହି ଅବସରରେ ଆସନ୍ତା ବର୍ଷ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ AAP ୨୦ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଭାରୀ ମଧ୍ୟ ଘୋଷଣା କରିଛି। AAP ନେତା ସୁରେଲ ତିଲଭେ କହିଛନ୍ତି, “ବୁଥ ସ୍ତରରେ AAP କୁ ମଜବୁତ କରିବା ପାଇଁ ଦାୟିତ୍ବ ଦିଆଯାଇଛି । ସେମାନଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ କାର୍ଯ୍ୟ କରିବାକୁ ପଡିବ। ପରେ ଦଳର ପ୍ରାର୍ଥୀ ଘୋଷଣା କରାଯିବ।”

   ଆମ୍ ଆଦମୀ ପାର୍ଟି ଏହା ପୂର୍ବରୁ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ମାଗଣା ବିଦ୍ୟୁତ୍ କୁ ମୁଦ୍ଦା କରିବାକୁ ଘୋଷଣା କରିଛି। ସେହିପରି ଆସନ୍ତା ବର୍ଷ ହେବାକୁ ଥିବା ୟୁପି, ଉତ୍ତରାଖଣ୍ଡ ଏବଂ ଗୁଜୁରାଟରେ ମଧ୍ୟ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କରିଛି। 

Related Posts