ବଲିଉଡ ଅଭିନେତା ସଲିମ ଘୋଷଙ୍କ ପରଲୋକ

ନୂଆଦିଲ୍ଲୀ: ପୁଣି ଆଖି ବୁଜିଲେ ବଲିଉଡର ଆଉ ଜଣେ କଳାକାର । ନବେ ଦଶକର ଜଣାଶୁଣା ଅଭିନେତା ସଲିମ ଘୋଷଙ୍କ ଦେହାନ୍ତ ହୋଇଛି । ୭୦ ବର୍ଷ ବସୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତା ଶାରିବ ହାଶମି ଟ୍ୱିଟ୍ କରି ସଲିମଙ୍କ ପରଲୋକର ସୂଚନା ଦେଇଛନ୍ତି । ସଲିମ ଅନେକ ବଲିଉଡରେ ନେଗେଟିଭ ରୋଲରେ ନଜର ଆସିଥିଲେ। ଏହାଛଡା ‘ଭାରତ ଏକ ଖୋଜ୍’, ‘ଟିପ୍ପୁ ସୁଲତାନ’, ‘କୃଷ୍ଣା’ ଏବଂ ‘ବାଗଲେ କି ଦୁନିଆ’ ପରି ଅନେକ ସିରିୟଲରେ ଅଭିନୟ କରିଛନ୍ତି।

ହୃଦଘାତ ଯୋଗୁଁ ସମିଲଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପତ୍ନ ଅନୀତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନୀତା କହିଛନ୍ତି, ‘ବୁଧବାର ରାତିରେ ତାଙ୍କ ସ୍ୱାସ୍ଥ୍ୟ ଠିକ ଥିଲା। ନିଜର କାମ ସାରି ଖାଇବା ଖାଇଥିଲେ। ପରେ ହାଠତ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। ପରେ ତାଙ୍କୁ ମୁମ୍ୱାଇ ସ୍ଥିତ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା’।

୧୯୮୭ ମସିହାରେ ଫିଲ୍ମ ସ୍ୱର୍ଗ ଏବଂ ନର୍କରୁ ଅଭିନୟରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଚକ୍ର, ସାରାଂଶ ପରି ଫିଲ୍ମର ନଜର ଆସିଥିଲେ। ନବେ ଦଶନ୍ଧିର ଅନେକ ହିନ୍ଦୀ ସିନେମାରେ ସେ ଖଳନାୟକ ଭୂମିକାରେ ନିଖୁଣ ଅଭିୟନ କରିଥିଲେ। ୧୯୯୭ ମସିହାରେ ଶାହାରୁଖ ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘କୋଏଲା’ରେ ସେ ଅମରେଶ ପୁରୀଙ୍କ ସାନ ଭାଇ ଭୂମିକାରେ ଅଭିୟନ କରିଥିଲେ। ଯାହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା। ଏହାଛଡା ସଲିମ ଦକ୍ଷିଣ ଭାରତର ଅନେକ ସିନେମାରେ ଅଭିନୟ କରିଛନ୍ତି।

ସଲିମ ଘୋଷ ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇଷ୍ଟିଚ୍ୟୁଟ୍ ଅଫି ଇଣ୍ଡିଆରୁ ସ୍ନାତକ ହାସଲ କରିଥିଲେ। ଶ୍ୟାମ ବେନେଗନଙ୍କ ଟିଭି ଧାରାବାହିକ ‘ଭାରତ ଏକ ଖୋଜ’ରେ ଭଗବାନ ରାମ ଏବଂ ଟିପୁ ସୁଲତାନର ଭୂମିକାରେ ଅଭିନୟ କରିଥିଲେ। ୧୯୯୪ର ହଲିଉଡ ଫିଲ୍ମ ‘ଦ ଲାୟନ କିଙ୍ଗ’ରେ ସେ କଣ୍ଠଦାନ କରିଥିଲେ।

Related Posts