ଆଫଗାନିସ୍ତାନ ଛାଡ଼ିବା ପରେ ମୁହଁ ଖୋଲିଲେ ରାଷ୍ଟ୍ରପତି ଘନି, କହିଲେ – ‘ ଏକ ଯୋଡ଼ା ସାଲୱାର କମିଜ ସହ ଦେଶ ଛାଡ଼ିଛି ‘

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘନି ଦେଶ ଛାଡିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ୟୁଏଇରୁ ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ‘ଯଦି ମୁଁ କାବୁଲରେ ରହିଥାନ୍ତି ତେବେ ଏକ ରକ୍ତପାତ ହୋଇଥାନ୍ତା। ସୁରକ୍ଷା କାରଣରୁ ମୁଁ ଆଫଗାନିସ୍ତାନଠାରୁ ଦୂରରେ ଅଛି । ଘାନି କହିଛନ୍ତି ଯେ ଯେଉଁମାନେ ତାଙ୍କୁ ପଳାତକ ବୋଲି କହୁଛନ୍ତି ସେମାନେ ତାଙ୍କ ବିଷୟରେ କିଛି ଜାଣନ୍ତି ନାହିଁ। ମୁଁ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବାକୁ ଚାହୁଁଥିଲି।’

ଭିଡିଓ ବାର୍ତ୍ତାରେ ଆଶରଫ ଘାନି କହିଛନ୍ତି, ‘ମୁଁ ମୋ ଇଚ୍ଛାରେ ଦେଶ ଛାଡି ପଳାୟନ କରି ନାହିଁ। ମୁଁ ରକ୍ତପାତ ବନ୍ଦ କରିବାକୁ ୟୁଏଇରେ ଅଛି। ମୁଁ ତଥାପି ଆଫଗାନିସ୍ତାନକୁ ଫେରିବା ପାଇଁ ରାସ୍ତା ଖୋଜୁଛି। ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ ପ୍ରକୃତ ଇସଲାମିକ ମୂଲ୍ୟବୋଧକୁ ଫେରାଇ ଆଣିବା ପାଇଁ ମୁଁ ସଂଗ୍ରାମ ଜାରି ରଖିବି।

ଏତଦ୍ ବ୍ୟତୀତ ଟଙ୍କା ଭର୍ତ୍ତି ବ୍ୟାଗ୍‌ କାର୍‌ ଓ ହେଲିକପ୍ଟରରେ ନେଇ ପଳାଇଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ଏପରିକି ଜାଗା ନ ହେବାରୁ ଟଙ୍କା ଭର୍ତ୍ତି କିଛି ବ୍ୟାଗ୍‌ ରନୱେରେ ଛାଡ଼ି ଚାଲି ଯାଇଥିବା ଚର୍ଚ୍ଚା ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ସେ ଏହାକୁ ଉଡ଼ା ଖବର ବୋଲି କହିଥିଲେ। 

ଯେଉଁମାନେ ମୁଁ ଦେଶ ଛାଡ଼ି ପଳାଇଲି ବୋଲି କହୁଛନ୍ତି, ସେମାନେ ସମ୍ପୂର୍ଣ୍ଣ ସତ୍ୟ ଜାଣି ନାହାନ୍ତି ବୋଲି କହିଛନ୍ତି ଘନି।  ମୁଁ ସେନା ହାତରେ ଦେଶର ଦାୟିତ୍ୱ ସମର୍ପଣ କରି ଆସିଥିଲି।  ୨୫ ବର୍ଷ ତଳେ ଘଟିଥିବା ଘଟଣା ପୁଣି ଥରେ ଘଟିବାକୁ ଯାଉଛି ବୋଲି ସେ କହିଛନ୍ତି । ମୁଁ କେବଳ ସାଲୱାର କମିଜ ଓ ୱେଷ୍ଟ କୋର୍ଟ ଛଡ଼ା ମୋ ସହ କିଛି ଆଣିନି ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ।

ସୂଚନା ଥାଉ କି ଯେ ଆଫଗାନିସ୍ତାନରେ ବର୍ତ୍ତମାନର ସଙ୍କଟ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ଅସରଫ ଗନିଙ୍କୁ ଦାୟୀ କରିଛନ୍ତି। ଅଗଷ୍ଟ ୧୫ ତାରିଖ ଦିନ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରିଥିଲା। ସେହି ସମୟରେ ଘନି ପରିବାର ସଦସ୍ୟଙ୍କ ସହ ଦେଶ ଛାଡ଼ି ଚାଲି ଯାଇଥିଲେ। ଘନି ଏବେ ୟୁଏଇରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହୋଇଛି। ୟୁଏଇ ସରକାର ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ଘନି ଓ ତାଙ୍କ ପରିବାରକୁ ଦେଶରେ ସ୍ୱାଗତ କରିଥିବା କହିଛନ୍ତି।

Related Posts