ପ୍ରତ୍ନତତ୍ତ୍ୱ ବିଭାଗର ସତର୍କତା ପରେ ମଧ୍ୟ ଅଣ ଦେଖା କରିବାରେ ଲାଗିଛି ଠିକା ସଂସ୍ଥା; ଶ୍ରୀମନ୍ଦିର ଐତିହ୍ୟକୁ ବିପଦ ଥିବା ଦର୍ଶାଇଥିଲେ ମଧ୍ୟ ଜାରି ରହିଛି ଖନନ

ପୁରୀ(ସତ୍ୟପାଠ ବ୍ୟୁରୋ): ପ୍ରତ୍ନତତ୍ତ୍ୱ ବିଭାଗର ସତର୍କତା ପରେ ମଧ୍ୟ ଅଣ ଦେଖା କରିବାରେ ଲାଗିଛି ଠିକା ସଂସ୍ଥା । ତେବେ ଶ୍ରୀମନ୍ଦିରର ୧୦୦ ମିଟର ପରିଧିରେ ଖନନ ଶ୍ରୀମନ୍ଦିର ଓ ଏହାର ଐତିହ୍ୟକୁ ବିପଦ ଥିବା ଦର୍ଶାଇଥିଲେ ବି ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଖନନ ଜାରି ରଖିଛନ୍ତି । ସେପଟେ ପ୍ରଥମେ ପଶ୍ଚିମଦ୍ବାରରେ ୨୦ରୁ ୨୫ ଫୁଟ ଗର୍ତ୍ତ କରାଯାଇଥିଲା। ଏବେ ଦକ୍ଷିଣଦ୍ବାରରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଯାଇଛି। ପଶ୍ଚିମଦ୍ବାରଠାରୁ ବଳିଯାଇଛି ଦକ୍ଷିଣଦ୍ବାର। ପାହାଡ଼ ଉଚ୍ଚରେ ଥିବା ମାଟିକୁ କାଟି ଏଠାରେ ମୂଳଦୁଆ ପକାଯାଉଛି। ଯାହା ଶ୍ରୀମନ୍ଦିର ବିପଦକୁ ଆହୁରି ବଢ଼ାଇ ଦେଇଛି। ଶ୍ରୀମନ୍ଦିର ସୁରକ୍ଷାକୁ ଚରମ ଅଣଦେଖା ଭକ୍ତ, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ସଂଗଠନ ମହଲରେ ଅସନ୍ତୋଷ ଭରି ଦେଇଛି। ସିଧାସଳଖ କହିଛନ୍ତି, ବିକାଶ କରାଯାଉ, କିନ୍ତୁ ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେଇ କରାଯାଉ। ଐତିହ୍ୟ କରିଡର ଶିଳାନ୍ୟାସ ପରେ ଏବେ ପୂର୍ବ, ପଶ୍ଚିମ ଓ ଦକ୍ଷିଣଦ୍ବାରରେ ଖନନ ଜାରି ରହିଛି। ପ୍ରକଳ୍ପ କାମ ନେଇଥିବା ଟାଟା ପ୍ରୋଜେକ୍ଟ ଲିମିଟେଡ୍ ପ୍ରଥମେ ପଶ୍ଚିମଦ୍ବାରରେ ଖନନ ଆରମ୍ଭ କରିଥିଲା।

ଏହି କାମ ଦେଖି ପ୍ରତ୍ନତତ୍ତ୍ବ ବିଭାଗ ବି ଶ୍ରୀମନ୍ଦିର ପ୍ରଶାସନ ଓ ଓବିସିସିକୁ ଚିଠି କରିଥିଲା। ତଥାପି ଏ ଦିଗରେ ଉଭୟ ନିରବ ରହିଛନ୍ତି ଓ ନିର୍ମାଣ କାର‌୍ୟ୍ୟକୁ ଜୋରଦାର କରିଛନ୍ତି। ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ଉଦ୍ବେଗ ପରେ ବି ପଶ୍ଚିମଦ୍ବାର ଖନନ ପରେ ଏବେ ଦକ୍ଷିଣଦ୍ବାରରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଯାଇଛି। ଏଠାରେ ବି ତରବରିଆ ଖନନ ସାରି କଂକ୍ରିଟ୍ର ମୂଳଦୁଆ କାମ ଆରମ୍ଭ ହୋଇସାରିଛି। ପ୍ରତ୍ନତତ୍ତ୍ବ ବିଭାଗର ଜଣେ ବରିଷ୍ଠ ଇଂଜିନିୟର କହିଛନ୍ତି, ଅଳ୍ପ ଖନନ କରିଥିଲେ ଆମେ କିଛି ଆପତ୍ତି ଉଠାଇନଥାନ୍ତୁ। କିନ୍ତୁ ଯେଉଁଭଳି ଖନନ କରାଯାଉଛି, ତାହା ଶ୍ରୀମନ୍ଦିର ଉପରେ ପ୍ରଭାବ ପକାଇବା ସ୍ବାଭାବିକ। କାରଣ ଏହାଦ୍ବାର ଶ୍ରୀମନ୍ଦିରକୁ ତଳୁ ଜାବୁଡ଼ି ଧରିଥିବା ବାଲି ଓ ମାଟିର ଶୃଙ୍ଖଳ ବିଗିଡ଼ିବ। ପୂର୍ବରୁ ନିର୍ମାଣ ପାଇଁ ରଡ୍ କିମ୍ବା କଂକ୍ରିଟ୍ ବ୍ୟବହାର କରାଯାଉନଥିଲା।

କେବଳ ପଥର ଉପରେ ପଥର ରଖି ନିର୍ମାଣ କରାଯାଉଥିଲା। ଚୁନ, ଗୁଡ଼ ଆଦିର ମିଶ୍ରଣରେ ଯୋଡ଼େଇ କରାଯାଉଥିଲା। ସେବେର ମନ୍ଦିର ନିର୍ମାଣ ଶୈଳୀ ବି ଭିନ୍ନ ଥିଲା। ବାଲିକୁ ଗୋଲାକାରରେ ଗଦା କରି ପଥର ଉପରେ ପଥର ଥୋଇ ମନ୍ଦିର ଗଢ଼ାଯାଉଥିଲା। ଏଣୁ ଆଜିର କଂକ୍ରିଟ୍ ନିର୍ମାଣ ତୁଳନାରେ ସେ କାଳର ନିର୍ମାଣ ନିଶ୍ଚିତ ଦୁର୍ବଳ ରହିବ। ଦ୍ବିତୀୟ କଥା ଏହା ବହୁ ପୁରାତନ ମନ୍ଦିର। ଏଣୁ ଏତେ ତଳକୁ ଖନନ କଲେ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେବା ସହ କୀର୍ତ୍ତିରାଜି ନଷ୍ଟ ହେବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Related Posts