
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୋଟର ତାଲିକାରେ ନାମ ନଥିବାରୁ ଉଠାଇ ଆଣିଲେ ଭୋଟ ବାକ୍ସ । ଭୋଟର ଲିଷ୍ଟରେ ନାଁ ନଥିବାରୁ ନିୟମଗିରିର ଡଙ୍ଗରିଆ କନ୍ଧ ପ୍ରତିବାଦ କରିବା ସହ ଭୋଟ ବାକ୍ସ ଉଠାଇନେଇଛନ୍ତି। କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତର ଏଭଳି ଘଟଣା ଘଟିଛି। ଉକ୍ତ ପଞ୍ଚାୟତର ରାଇଲିମା ଗାଁ ୧୪ ନମ୍ବର ବୁଥରୁ ଭୋଟବାକ୍ସ ଉଠାଇ ନେଇଛନ୍ତି। ଉପର ଓ ତଳ ମୁଶୁଡ଼ିର ଶହେ ଲୋକଙ୍କ ନାଁ ଲିଷ୍ଟରେ ନଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଏସଡିପିଓ ଓ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ସେହିପରି ଭଦ୍ରକ ଜିଲ୍ଲା ତିହିଡ ବ୍ଲକ୍ କୋହ୍ଲ ପଞ୍ଚାୟତରେ ମତଦାନ ଅଧାରୁ ବନ୍ଦ ରହିବାରୁ ଦୁର୍ବୃତ୍ତ ଭୋଟ୍ ବାକ୍ସ ଲୁଟି ଦେଇଛନ୍ତି।
ବୁଥ୍ରୁ ୨ଟି ଭୋଟ୍ ବାକ୍ସ ଲୁଟି ନେଇ ପୋଖରୀରେ ଫିଙ୍ଗିଦେଲେ, ଯାହାକୁ ନେଇ ପଞ୍ଚାୟତର ୪ ଓ ୫ ନଂ ୱାର୍ଡରେ ଉତ୍ତେଜନା ଦେଖା ଦେଇଛି। ମତଦାନ ବେଳେ ବାଲାଟ ପେପର ଫୋଲଡିଂରେ ୩ଟି ଚିହ୍ନ ଦେଖାଯାଉଥିଲା। ତେବେ ଆଉଏକ ଚିହ୍ନ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଯେଉଁ କାରଣରୁ ବୁଥରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ତେବେ ଏହି ଦୁଇ ୱାର୍ଡରେ ସରପଞ୍ଚ ଭୋଟ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଥିବା ବେଳେ ଅନ୍ୟ ପଦ ପାଇଁ ଭୋଟ ହେବ।