ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବଡ଼ ବୟାନ ଦେଇଛନ୍ତି । ତେବେ ତାଙ୍କ ଦଳ ଉତ୍ତର ପ୍ରଦେଶର ପ୍ରଥମ ଦୁଇ ପର‌୍ୟ୍ୟାୟ ଭୋଟରେ ଶତକ ହାସଲ କରି ସାରିଛି। ଆସନ୍ତା ୨ ପର‌୍ୟ୍ୟାୟ ଭୋଟିଂ ପରେ ଦଳ ଆଉ ଗୋଟିଏ ଶତକ ହାସଲ କରିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। ଆଜି ରାଜ୍ୟର ୧୬ଟି ଜିଲ୍ଲାର ୫୯ଟି ଆସନରେ ଭୋଟିଂ ହେଉଛି। ୨୦୧୭ରେ ବିଜେପି ଏହି ୫୯ଟି ଆସନରୁ ୪୯ଟିରେ ବାଜିମାତ କରିଥିଲା। ସେହିପରି ସପା ମାତ୍ର ୯ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ତେବେ ଏଥର ସପା ତା’ ଭାଗ୍ୟ ବଦଳାଇ ପାରିବ ବୋଲି ଅଖିଲେଶ ଆଶା ରଖିଛନ୍ତି। ଯଶବନ୍ତନଗରରେ ଆଜି ଅଖିଲେଶ ପତ୍ନୀ ଡିମ୍ପଲଙ୍କ ସହ ଭୋଟ ଦେବାକୁ ଯାଇଥିଲେ। ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ଆମେ ପ୍ରଥମ ଦୁଇଟି ପର‌୍ୟ୍ୟାୟରେ ଶତକ ହାସଲ କରି ସାରିଛୁ।

ଆସନ୍ତା ୨ ପର‌୍ୟ୍ୟାୟ ଭୋଟିଂରେ ସମାଜବାଦୀ ପାର୍ଟି ଓ ଏହାର ସହଯୋଗୀମାନେ ଅନ୍ୟ ଦଳଗୁଡ଼ିକ ତୁଳନାରେ ଯଥେଷ୍ଟ ଆଗକୁ ଚାଲିଯିବେ।” ତୃତୀୟ ପର‌୍ୟ୍ୟାୟରେ ଭୋଟିଂ ହାର ସବୁଠାରୁ ଅଧିକ ରହିବ ବୋଲି ମଧ୍ୟ ଅଖିଲେଶ ଆଶା ପୋଷଣ କରିଛନ୍ତି। ବୁନ୍ଦେଲଖଣ୍ଡରେ ସବୁଠାରୁ ଅଧିକ ଭୋଟିଂ ହେବ ବୋଲି ସେ କହିଛନ୍ତି। ଅଖିଲେଶ ଯାଦବ କହିଛନ୍ତି, “ଏଠାରେ ସବୁଠାରୁ ଅଧିକ ବେକାରୀ ଯୁବକ/ଯୁବତୀ ରହିଛନ୍ତି। ଲକଡାଉନ ବେଳେ ଏଠାକୁ ସର୍ବାଧିକ ଶ୍ରମିକ ଆସିଛନ୍ତି। ସେମାନେ ଅନେକ କଷ୍ଟ ଭୋଗିଛନ୍ତି। ଚାଷୀମାନଙ୍କ ଆୟ ଦୁଇ ଗୁଣ ହୋଇନି। ବୁନ୍ଦେଲଖଣ୍ଡ ଠାରୁ ଏହି ପର‌୍ୟ୍ୟନ୍ତ ବିଜେପି ବିକାଶ ବନ୍ଦ କରିଦେଇଛି। ଲୋକଙ୍କ ଠାରୁ ବିଜେପି ନିଯୁକ୍ତି ଛଡ଼ାଇ ନେଇଛି।” ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ସେମି ଫାଇନାଲ ଭାବେ ବିବେଚନା କରାଯାଉଛି। ପ୍ରଥମ ଦୁଇ ପର‌୍ୟ୍ୟାୟରେ ୧୧୩ ଆସନ ପାଇଁ ଭୋଟିଂ ହୋଇଥିଲା। ଏହା ମଧ୍ୟରୁ ଅଧିକାଂଶ ଆସନ ଗୁରୁତ୍ୱପୂର୍ଣ୍ଣ ପଶ୍ଚିମ ଉତ୍ତର ପ୍ରଦେଶରେ ରହିଥିଲା। ଚାଷୀ ଆନ୍ଦୋଳନର ମୁଖ୍ୟ ସ୍ଥଳ ହେଉଛି ପଶ୍ଚିମ ଉତ୍ତର ପ୍ରଦେଶ। ତେଣୁ ବିଜେପି ଏଠାରେ କେମିତି ପ୍ରଦର୍ଶନ କରିଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।