କ୍ରୀଡ଼ାର ବିକାଶ ପାଇଁ ନିର୍ବାଚନୀ ନାରା ‘ଖେଲା ହୋବେ’ କୁ ସରକାରୀ ଯୋଜନା କଲେ ବେଙ୍ଗଲ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସବୁଠାରୁ ଅଧିକ ଲୋକପ୍ରିୟ ହୋଇଥିଲା ଟିଏମସିର ନିର୍ବାଚନୀ ସ୍ଲୋଗାନ ‘ଖେଲା ହୋବେ’ । ଟିଏମସିର ଏହି ନାରା ମାଧ୍ୟମରେ ଟିଏମସି ବେଙ୍ଗଲ ବିଧାନସଭା ନିର୍ବାଚନରେ ମାହୋଲ ସୃଷ୍ଟି କରିବାରେ ସଫଳ ହୋଇଥିଲା। ନିର୍ବାଚନ ସମୟରେ ଉଭୟ ଟିଏମସି ଓ ବିଜେପିର ବଡ ବଡ ନେତାଙ୍କ ଭାଷଣରେ ଏହି ଡାଇଲଗ ଖୁବ୍ ଶୁଣିବାକୁ ମିଳୁଥିଲା। ଟିଏମସିର ଖେଲା ହବେ ନାରା ଏତେ ଲୋକପ୍ରିୟ ହୋଇଥିଲା ଯେ ଏହାର କାଉଣ୍ଟର କରିବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଖେଲ ଖତମ୍ ନାରା ଦେଇଥିଲେ । ନିର୍ବାଚନ ସରିଲା, ଭୋଟ ଫଳାଫଳ ବି ପ୍ରକାଶ ପାଇଲା । ଖେଲା ହୋବେ ନାରା ଦେଇ ଟିଏମସି ନିର୍ବାଚନରେ ବିଜୟୀ ମଧ୍ୟ ହେଲା। ଏହି ନାରାକୁ ଜୀବିତ ରଖିବାକୁ ଯାଇ ମମତା ବାନାର୍ଜୀ ଏବେ ଖେଲା ହବେ ନାମରେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ବେଙ୍ଗଲରେ କ୍ରୀଡାର ବିକାଶ ଏବଂ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରାଯିବ। ଏହି ଯୋଜନା ଅଧିନରେ ପଞ୍ଜୀକୃତ କ୍ଲବକୁ ଫୁଟବଲ୍ ଦିଆଯିବ ।

ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ପଞ୍ଜୀକୃତ କ୍ଲବଗୁଡିକୁ ଫୁଟବଲ୍ ଦିଆଯିବ । ଜିଲ୍ଲା ଯୁବ ଅଧିକାରୀମାନଙ୍କୁ ଜୁନ୍ 28 ସୁଦ୍ଧା ବ୍ଲକ ଏବଂ ପୌରସଂସ୍ଥାଗୁଡ଼ିକରେ ପଞ୍ଜୀକୃତ କ୍ଲବଗୁଡିକର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି।ଆଦେଶରେ କୁହାଯାଇଛି, ଫୁଟବଲ୍ ନିର୍ମାଣକାରୀ କମ୍ପାନୀ ରିଫ୍ୟୁଜି ହ୍ୟାଣ୍ଡିକ୍ରାଫ୍ଟ ସରକାରଙ୍କୁ ଏହି ଯୋଜନା ପାଇଁ ଫୁଟବଲ୍ ଯୋଗାଣ କରିବ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର କ୍ୟାମ୍ପନିଂ ସମୟରେ ଜଙ୍ଗଲମହଲ ଏବଂ ସୁନ୍ଦରବନ୍ ଅଞ୍ଚଳରେ ଏକ ଫୁଟବଲ ଟୁର୍ନାମେଣ୍ଟର ଉଦଘାଟନ କରିଥିଲେ ଏବଂ ବିଜେତା ଦଳର ସଦସ୍ୟମାନଙ୍କୁ ନାଗରିକ ସ୍ୱେଚ୍ଛାସେବୀ କିମ୍ବା ଜୁନିଅର କନଷ୍ଟେବଳ ଭାବେ ନିୟୋଜିତ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ ଯେ ରାଜ୍ୟ ସରକାର କ୍ଲବଗୁଡିକରେ ଜୋଇ ବ୍ରାଣ୍ଡର ୫୦ ହଜାର ଫୁଟବଲ୍ ବଣ୍ଟନ କରିବେ । ଏହାଦ୍ୱାରା ଖେଳାଳୀ ମାନେ ଖେଳରେ ଉନ୍ନତି କରିବେ ବୋଲି କୁହାଯାଇଛି ।

Related Posts