ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରେ ଘଟିଛି ଏକ ହୃଦୟ ଥରା ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟଂକର ଥିଲା ଯେ ଏହି ଦୁର୍ଘଟଣା ରେ ଚାଲିଯାଇଛି ୭ ଜଣଙ୍କ ଜୀବନ । ଏଥିସହ ଅନ୍ୟ ୧୦ ଜଣ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତଙ୍କ ମଧ୍ୟରେ ତିନି ଜଣ ଶିଶୁ ମଧ୍ୟ ଥିବା ଜଣାପଡିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୋଟିଏ ଇନୋଭା ଏବଂ ଆପେ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ଏତେ ଭୟଙ୍କର ହୋଇଥିଲା ଯେ, ଦୁଇ ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଗାଡି ଗୁଡିକରେ ମୃତଙ୍କ ଶରୀର ଫସି ରହିଥିଲା । ସ୍ଥାନୀୟ ପ୍ରଶାସନର ସହାୟତାରେ ଉଦ୍ଧାର କରାଯାଇଥିଲା । ଅଧିକାରୀଙ୍କ ସୂଚନା ଅନୁସାରେ, ଇନୋଭାଟି ସାମନା ପଟୁ ଅଟୋକୁ ଧକ୍କା ଦେଇଥିଲା। ଦ୍ରୁତ ଗତିରେ ଆସୁଥିବା ଇନୋଭାଟି ଏକ ପାଣି ଥିବା ଗାତରେ ପଶିବା ପରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା। ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଏହି ଦୁର୍ଘଟଣା ଗିରବା ବସ ଷ୍ଟାଣ୍ଡ ନିକଟରେ ଘଟିଛି । କାରର ଗତି ଏତେ ଅଧିକ ଥିଲା ଯେ, ଅଟୋଟି ଦୁଇ ଖଣ୍ଡ ହୋଇଯାଇଥିଲା । ଅଟୋରେ ଥିବା ୭ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିବା ସହ ତଦନ୍ତ ଆରମ୍ଭ କରିଛି ।