ଘରୋଇ ହସ୍ପିଟାଲ ଗୁଡିକ ପାଇଁ ଟିକା ଦର ନିର୍ଦ୍ଧାରଣ କଲେ କେନ୍ଦ୍ର ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜୁନ୍ ୨୧ ରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କ ପାଇଁ ମାଗଣା କରୋନା ଟିକା ଘୋଷଣା କରାଯିବା ପରେ ମଙ୍ଗଳବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ଡାକ୍ତରଖାନାଗୁଡ଼ିକ ପାଇଁ କରୋନା ଟିକା ଦର ନିର୍ଦ୍ଧାରଣ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିଶିଲ୍ଡ, ଭାରତ ବାୟୋଟେକର କୋଭାକ୍ସିନ ମୂଲ୍ୟ ଯଥାକ୍ରମେ ୭୮୦, ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏବଂ ଋଷ ନିର୍ମିତ ସ୍ପୁଟନିକ-ଭି ଟିକା ପାଇଁ ଘରୋଇ ଡାକ୍ତରଖାନାଗୁଡ଼ିକରେ ଡୋଜ ପିଛା ୧୧୪୫ ଟଙ୍କା ଧାର୍ଯ୍ୟ କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ , କୋଭିସିଲ୍ଡର ଡୋଜ ପିଛା ଦର ୬୦୦ ଟଙ୍କା ରହିଥିବା ବେଳେ ଏଥିରେ ୩୦ ଟଙ୍କା ଜିଏସ୍‌ଟି ଓ ୧୫୦ ଟଙ୍କା ସର୍ଭିସ ଚାର୍ଜ ଲାଗିବ। ଫଳରେ ଗୋଟିଏ ଡୋଜ୍‌ର ମୂଲ୍ୟ ୭୮୦ ଟଙ୍କା ରହିଛି। ସେହିପରି କୋଭାକ୍ସିନର ଗୋଟିଏ ଡୋଜ ପିଛା ଦର ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୧୨୦୦ ଟଙ୍କା ରଖିଛି। ଏଥିରେ ଜିଏସ୍‌ଟି ବାବଦକୁ ୬୦ ଟଙ୍କା ଓ ୧୫୦ ଟଙ୍କା ସର୍ଭିସ ଚାର୍ଜ ମିଶାଇଲେ ଏହାର ଦାମ ୧୪୧୦ ଟଙ୍କା ହେଉଛି। ଅପରପକ୍ଷରେ ରୁଷ ଟିକା ସ୍ପୁଟନିକ୍ ଭି ର ଦାମ ୯୪୮ ଟଙ୍କା ରହିଥିବା ବେଳେ ଜିଏସଟି ୪୮ ଟଙ୍କା ଏବଂ ସର୍ଭିସ ଚାର୍ଜ ୧୫୦ ଟଙ୍କା ଲାଗିବ। ଏହାକୁ ମିଶାଇଲେ ଗୋଟିଏ ଡୋଜ୍‌ର ମୂଲ୍ୟ ୧୧୪୫ ଟଙ୍କା ହେଉଛି। ସବୁ ଟିକା ଉପରେ ୫% ଜିଏସ୍‌ଟି ଲାଗୁଥିବା କେନ୍ଦ୍ର ସରକାର କହିଛନ୍ତି। ତେବେ ଏହା ଠାରୁ ଅଧିକ ଦାମ ଚାର୍ଜ କଲେ ହସ୍ପିଟାଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଘରୋଇ ହସ୍ପିଟାଲ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରୋଇ ହସ୍ପିଟାଲଗୁଡ଼ିକ କମ୍ପାନୀ ଠାରୁ ୨୫% ଟିକା ସିଧାସଳଖ କିଣିପାରିବେ ବୋଲି ଘୋଷଣା କରିଥିଲେ । ଏଥିସହ ହସ୍ପିଟାଲଗୁଡ଼ିକ ସର୍ଭିସ ଚାର୍ଜ ବାବଦରେ ୧୫୦ ଟଙ୍କା ଲୋକଙ୍କ ଠାରୁ ନେବେ। କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ କୋଭିଶିଲ୍ଡର ୨୫ କୋଟି ଡୋଜ ଏବଂ କୋଭାକ୍ସିନର ୧୯ କୋଟି ଡୋଜ କିଣିବା ପାଇଁ କେନ୍ଦ୍ର ସରକାର ଅର୍ଡର ଦେଇଛନ୍ତି। ମୋଟ ୪୪ କୋଟି ଡୋଜ ଉତ୍ପାଦନକାରୀ କମ୍ପାନୀ ମାନେ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ପ୍ରଦାନ କରିବେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

Related Posts