କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାରେ ଯୁବ ପିଢିଙ୍କ ଭାବନା ସହ ଖେଳୁଛନ୍ତି: ଭଗୱନ୍ତ ମାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି । ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି ଫଞ୍ଜାବ ବିଧାନସଭାରେ ଚଳିତ ମୌସୁମୀ ଅଧିବେଶନରେ ଅଗ୍ନିପଥ ଯୋଜନା ବିରୋଧରେ ପ୍ରସ୍ତାବ ଆଗତ କରାଯିବ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ସହ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ ସିଂହ କହିଛନ୍ତି ଏହା ବହୁତ ବିଡମ୍ବନାର ବିଷୟ ଯେ, କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାରେ ଯୁବ ପିଢିଙ୍କ ଭାବନା ସହ ଖେଳୁଛନ୍ତି। ଯୁବକମାନେ କଠିନ ପରିଶ୍ରମ କରିବା ପରେ ସେନାରେ ନିଯୁକ୍ତି ପାଇଥାନ୍ତି। ୧୭ ବର୍ଷ ବୟସରେ ଜଣେ ଯୁବକ ସେନାରେ ଭର୍ତ୍ତି ହେବେ ଆଉ ୨୧ ବର୍ଷ ବେଳକୁ ଅବସର ନେବେ। ସେତେବେଳକୁ ତାର ବିବାହ ମଧ୍ୟ ହୋଇନଥିବ। ଚାରି ବର୍ଷ ଚାକିରି ପରେ କ୍ୟାଣ୍ଟିନରୁ ସେମାନଙ୍କୁ ସାମଗ୍ରୀ ଆଣିବାକୁ ମଧ୍ୟ ଅନୁମତି ମିଳିବନି।

ସେନାରେ ଭର୍ତ୍ତି ହେଲେ ଜଣେ ୩୫ ବର୍ଷ ବୟସ ଯାଏ ଚାକିରି କରିଥାଏ। କଣ ଯୁବକମାନେ ଏତେ ପରିଶ୍ରମ କରି ଚାରି ବର୍ଷ ପାଇଁ ସେନାରେ କଣ ନିଯୁକ୍ତି ପାଇବେ ବୋଲି ପ୍ରଶ୍ନ କରିଛନ୍ତି ଭଗଓ୍ଵନ୍ତ ମାନ। ପଞ୍ଜାବରେ ବିରୋଧୀ ଦଳ ନେତା ପ୍ରତାପ ବାଜଓ୍ଵା କହିଛନ୍ତି, ଏହି ପ୍ରସଙ୍ଗରେ ରାଜ୍ୟର ସମସ୍ତ ଦଳ ବିରୋଧ କରିବା ଉଚିତ୍। ବିଧାନସଭାରେ ସର୍ବସମ୍ମତକ୍ରମେ ପ୍ରସ୍ତାବ ପାରିତ କରାଯାଉ। ବିଜେପି ବିଧାୟକ ଅଶ୍ଵିନ ଶର୍ମା କହିଛନ୍ତି, ଅଗ୍ନିପଥ ଯୋଜନାକୁ ନେଇ ଲୋକଙ୍କୁ ଭ୍ରମିତ କରାଯାଉଛି। ଏହି ଯୋଜନା ଯୁବ ପିଢିଙ୍କ ହିତ ପାଇଁ କରାଯାଇଛି ବୋଲି ସେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts