ତୈଳ କମ୍ପାନୀଗୁଡ଼ିକର କ୍ଷତିପୂରଣ ପାଇଁ ୪୪ ହଜାର କୋଟି ଟଙ୍କା ଘୋଷଣା କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୈଳ କମ୍ପାନୀଗୁଡ଼ିକର କ୍ଷତିପୂରଣ ପାଇଁ ୪୪ ହଜାର କୋଟି ଟଙ୍କା ଘୋଷଣା କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ତେବେ ରାଜ୍ୟ ପରିଚାଳିତ ତୈଳ କମ୍ପାନୀଗୁଡ଼ିକ ଘରୋଇ ବଜାର ଦରଠାରୁ କମ୍‌ରେ ରନ୍ଧନ ଗ୍ୟାସ ବିକି କ୍ଷତି ସହିଛନ୍ତି। ତେଣୁ ସେମାନଙ୍କୁ ବଳ ଦେବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ୪୪,୦୦୦ କୋଟି ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିବାକୁ ଯୋଜନା କରୁଛି। ଏହି ଅର୍ଥରାଶି ତୈଳ କମ୍ପାନୀଗୁଡ଼ିକର କ୍ଷତିଭରଣା ସହ ଉଜ୍ଜ୍ୱଳା ଗ୍ରାହକଙ୍କୁ ସବ୍‌ସିଡି ଦେବା କ୍ଷେତ୍ରରେ ବିନିଯୋଗ ହେବ। ସେପଟେ ୨୦୨୧-୨୨, ୨୦୨୨-୨୩ରେ କମ ମୂଲ୍ୟରେ ଘରୋଇ ରନ୍ଧନ ଗ୍ୟାସ୍ ବିକ୍ରି କରି କ୍ଷତି ସହିଛନ୍ତି ରାଜ୍ୟଚାଳିତ ତୈଳକମ୍ପାନୀ। ତେଣୁ ସେମାନଙ୍କର କ୍ଷତିପୂରଣ ପାଇଁ ଏହି ଅର୍ଥରାଶି ବିନିଯୋଗ ହେବ। ଏହି ଟଙ୍କାରେ ୨୦୨୨-୨୩ ବର୍ଷ ପାଇଁ ସବସିଡି ଯୋଗାଇ ଦିଆଯିବ। ଖୁବଶୀଘ୍ର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବାର ସୂଚନା ମିଳିଛି। ଅନ୍ୟପଟେ କୋଭିଡ୍ ଆସିବା ପରଠାରୁ ୨୦୨୦ରୁ ଭାରତ ସରକାର ଗ୍ୟାସ୍‌ରେ ସବସିଡି ଦେବା ବନ୍ଦ କରିଦେଇଥିଲେ।

ତେବେ ପ୍ରତି ଗ୍ୟାସ୍ ଫିଲ୍‌ରେ ଏକ ସନ୍ତୁଳିତ ରାଶି ୧୦-୨୦ ଦିଆଯାଉଥିଲା। ହେଲେ ନିକଟରେ ଉଜ୍ଜ୍ୱଳା ଉପଭୋକ୍ତାଙ୍କ ପାଇଁ ସରକାର ପୁଣିଥରେ ୨୦୦ ଟଙ୍କା ଲେଖାଏ ସବ୍‌ସିଡି ରାଶି ଦେବାକୁ ଘୋଷଣା କରିଛନ୍ତି। ସରକାର ଘରେ ଘରେ ଗ୍ୟାସ ଯୋଗାଉଥିବା ଡିଣ୍ଡିମ ପିଟୁଥିବା ବେଳେ ଗ୍ୟାସର ଦ୍ରୁତ ମୂଲ୍ୟ ବୃଦ୍ଧି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଗତ ଦୁଇ ବର୍ଷରେ ରନ୍ଧନ ଗ୍ୟାସ ଦର ୭୭ ପ୍ରତିଶତ ବଢ଼ିଛି। କିଛିଦିନ ତଳେ ଗ୍ୟାସ ଦରରେ ୫୦ ଟଙ୍କା ବୃଦ୍ଧି ହୋଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ରନ୍ଧନ ଗ୍ୟାସ୍‌ରେ ସବସିଡି ପାଇଁ ସରକାର ୨୦୦ କୋଟି ଆବଣ୍ଟିତ କରିଥିଲେ। କିନ୍ତୁ ଚଳିତ ଆର୍ଥିକ ବର୍ଷପାଇଁ ସରକାର ୪ ହଜାର କୋଟି ଆବଣ୍ଟିତ ରାଶି ଘୋଷଣା କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts